ପାଠ ପଢା ଚୁଲିକି ଯାଉ, ଆଗ ମୋ ଶୋଇବା ହେଉ । କ୍ଲାସରୁମରେ ଶୋଇପଡିଲେ ଶିକ୍ଷକ, ଭିଡିଓ କରି ଭାଇରାଲ କଲେ ଛାତ୍ରଛାତ୍ରୀ ।

21

ସାଧାରଣତଃ ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷକ ମାନେ ନଜର ରଖିଥାନ୍ତି । କିନ୍ତୁ ବିହାରରେ ଏହାର ଓଲଟା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମାନେ ଶିକ୍ଷକଙ୍କ ଉପରେ ନଜର ରଖିବା ସହ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଶିକ୍ଷକଙ୍କ ନିଦ ହଜାଇ ଦେଇଛି । କାରଣ ଏହି ଭିଡିଓରେ କ୍ଲାସ ରୁମରେ ଶିକ୍ଷକ ଶୋଇଥିବାର ଦୃଶ୍ୟ ରେକର୍ଡ ହୋଇଛି । ଆଉ ଏହିଭଳି ଘଟଣା ବିହାରର ସାରଣ ଜିଲ୍ଲାରେ ଦେଖିବାକୁ ମିଳିଛି ।

ସାଧାରଣତଃ ସରକାରୀ ସ୍କୁଲରେ ଶ୍ରେଣୀଗୃହରେ ଶିକ୍ଷକ ମାନେ ଶୋଇଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ ଶିକ୍ଷକଙ୍କ ଏଭଳି ଅଭ୍ୟାସ ଛଡାଇବାକୁ ଛାତ୍ରଛାତ୍ରୀ ମାନେ ନୂଆ ତରିକା ଆପଣାଇଛନ୍ତି । ସୂଚନା ଅନୁଯାୟୀ, ବିହାରର ତମନାପୁରର ଏକ ବିଦ୍ୟାଳୟରେ ରାମକୁମାର ନାମକ ଶିକ୍ଷକ କ୍ଲାସରୁମରେ ଶୋଇଥିବାର ଭିଡିଓ ଦୁଇ ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଆରମ୍ଭ ଶିକ୍ଷକଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଭିଡିଓ ଅନୁଯାୟୀ, ଶିକ୍ଷକ ରାମକୁମାର ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବା ପରେ ଗଭୀର ନିଦରେ ଶୋଇ ପଡିଥିଲେ । ଏପରିକି ଏହି ସମୟରେ ଜୋରରେ ଘୁଙ୍ଗୁଡି ମଧ୍ୟ ମାରିବାକୁ ଭୁଲିନଥିଲେ । ଆଉ ଏହି ଶିକ୍ଷକଙ୍କୁ ଏଭଳି ଅବସ୍ଥାରେ ଦେଖି ଛାତ୍ରଛାତ୍ରୀ ଏହାର ଭିଡିଓ କରିଥିଲେ । ଏପରିକି ଭିଡିଓ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନେ ଶିକ୍ଷକଙ୍କ ନିକଟରେ ବିଭିନ୍ନ ପ୍ରକାର ହରକତ କରିଥିଲେ ମଧ୍ୟ ରାମକୁମାର ଉଠି ନଥିଲେ ।

ତେବେ ଏହି ସମ୍ପର୍କରେ ସ୍କୁଲର ଅନ୍ୟ ଶିକ୍ଷକ ମାନେ କହିଛନ୍ତି, ରାମକୁମାର ସୁଗାର ରୋଗରେ ପୀଡିତ । ଯାହାଫଳରେ ତାଙ୍କୁ ଅଧିକାଂଶ ସମୟ ନିଦ ଆସିଥାଏ । ତେବେ ଏଭଳି ଘଟଣା ଶିକ୍ଷକ ସମାଜକୁ ନିଶ୍ଚିତ ଭାବେ ଲଜ୍ଜିତ କରିବ । ସେହିଭଳି ଛାତ୍ରଛାତ୍ରୀ ମାନେ କହିଛନ୍ତି, ସ୍କୁଲରେ ଠିକ ଭାବେ ପଢା ହୁଏ ନାହିଁ । ଏହି ଶିକ୍ଷକ ଜଣକ ପ୍ରତିଦିନ କ୍ଲାସରେ ଶୋଇଯାଉଥିବାର ଅଭିଯୋଗ ଆଣିଛନ୍ତି ଛାତଛାତ୍ରୀ ।