ସୂଚନା ଓ ଲୋକ ସଂପର୍କ ବିଭାଗର ବିଜ୍ଞପ୍ତି ପରେ ବିବାଦ : ଆରଟିଆଇରୁ ବାଦ ପଡିଲା ଭିଜିଲାନ୍ସ ବିଭାଗ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସୂଚନା ଅଧିକାର ଆଇନ ପରିସରରୁ ବାହାରେ ରହିବ ରାଜ୍ୟ ଭିଜିଲାନ୍ସ ବିଭାଗ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଫଳରେ ଏଣିକି ଏହି ବିଭାଗରୁ ଆଉକେହି କୌଣସି ସୂଚନା ଚାହିଁଲେ ପାଇପାରିବେ ନାହିଁ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସୂଚନା ଅଧିକାର ଆଇନ ୨୦୦୫ର ଧାରା ୨୪ର ସେକ୍ସନ ଫୋରକୁ ବ୍ୟବହାର କରି ରାଜ୍ୟ ସରକାର ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ଭିଜିଲାନ୍ସକୁ ଆରଟିଆଇ ପରିସରରୁ ମୁକ୍ତ କରିଛନ୍ତି । ତେବେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୧ ବର୍ଷ ପରେ ହଠାତ ଭିଜିଲାନ୍ସ ବିଭାଗକୁ ଆରଟିଆଇରୁ କାଢି ନିଆଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।

ସରକାରଙ୍କ ବିଜ୍ଞପ୍ତି ସଂପର୍କରେ ଯୁକ୍ତି ହେଲା, ଭିଜିଲାନ୍ସ ତଥ୍ୟକୁ ଲୋକେ ମନ୍ଦ ଉଦେଶ୍ୟରେ ବ୍ୟବହାର କରିପାରନ୍ତି ।ଏହାଦ୍ୱାରା ସରକାର ପରିଚାଳନାରେ ସମସ୍ୟା ହେବ । କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା ସିବିଆଇକୁ ମଧ୍ୟ ଆରଟିଆଇ ପରିସରରୁ ବାଦ ଦିଆଯାଇଛି । ସେହିପରି ଅନ୍ୟ ତେକେତ ରାଜ୍ୟରେ ମଧ୍ୟ ଭିଜିଲାନ୍ସ ଆରଟିଆଇ ପରିସରମୁକ୍ତ ରହିଛି । ରାଜ୍ୟ ଗୁଇନ୍ଦା, ଏସଓଜି, କ୍ରାଇମବ୍ରାଂଚ ଏବଂ ଜିଲ୍ଲା ଗୁଇନ୍ଦା ବ୍ୟୁରୋ ଭଳି ସଂସ୍ଥାକୁ ମଧ୍ୟ ଆରଟିଆଇ ପରିସର ବାହାରେ ରଖାଯାଇଛି ।