ନୂଆ ରୂପରେ ଫେରିବ ୧୦୦୦ ଟଙ୍କିଆ ନୋଟ୍ !
କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ଅଚଳ ହୋଇଯାଇଥିବା ୧୦୦୦ ଟଙ୍କିଆ ନୋଟ୍ ପୁଣି ଥରେ ଫେରିବ । ଏଥର ସମ୍ପୂର୍ଣ୍ଣ ନୂଆ ରୂପରେ ଏହା ବଜାରକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ନୂଆ ୧୦୦୦ ଟଙ୍କିଆ ନୋଟ୍ ପୁରୁଣା ନୋଟ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ । ନୂଆ ନୋଟ୍ରେ ଅଧିକ ନିରାପତ୍ତା ବୈଶିଷ୍ଟ୍ୟ ରହିବ । ନୂଆ ୧୦୦୦ ଟଙ୍କିଆ ନୋଟ୍ର ଡିଜାଇନ୍ ପ୍ରସ୍ତୁତ କରିବା କାମ ଜୋରସୋରରେ ଚାଲିଛି । ଏହା ପାଇଁ କେଉଁ ଭଳି କାଗଜ ବ୍ୟବହାର କରାଯିବ ତାହାକୁ ନେଇ ମଧ୍ୟ ପରୀକ୍ଷଣ ଜାରି ରହିଛି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନୂଆ ୧୦୦୦ ଟଙ୍କିଆ ନୋଟ୍ ବଜାରକୁ ଆସିବ ବୋଲି ଆଲୋଚନା ହେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମହୀଶୂର ଏବଂ ସାଳବଣିଠାରେ ଥିବା ଟଙ୍କା ଛାପାଖାନାରେ ନୂଆ ୧୦୦୦ ଟଙ୍କିଆ ନୋଟ୍ ଛପାଯିବ । ସେହିଠାରୁ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ବିମୁଦ୍ରାକରଣ ଘୋଷଣା ପରେ ସରକାର ବାରମ୍ବାର ଦୋହରାଉଛନ୍ତି ଯେ ୧୦୦୦ ଟଙ୍କିଆ ନୋଟକୁ ପୁଣି ଥରେ ପ୍ରଚଳନ କରାଯିବାର କୌଣସି ଯୋଜନା ନାହିଁ । ବର୍ତ୍ତମାନ ଦେଶରେ ବଡ଼ ନୋଟ୍ ଭାବେ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ରହିଛି । ଏହି ଦୁଇ ନୋଟ୍ ମଝିରେ ଆଉ କୌଣସି ନୋଟ୍ ନାହିଁ । ସେହି ଫାଙ୍କା ସ୍ଥାନକୁ ପୂରଣ କରିବା ପାଇଁ ୧୦୦୦ ଟଙ୍କିଆ ନୋଟ୍କୁ ପୁଣି ଥରେ ବଜାରକୁ ଆଣିବା ଉପରେ ବିଚାର କରାଯାଉଛି ।
୫୦୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ଦୂର କରିବା ପାଇଁ ଗତ ସପ୍ତାହରେ ଆର୍ବିଆଇ ପକ୍ଷରୁ ନୂଆ ୨୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଏହାର ଯୋଗାଣ ଆରମ୍ଭ ହୋଇଯାଇଛି । ନୂଆ ୨୦୦ ଟଙ୍କିଆ ନୋଟ୍ ପାଇଁ ଏଟିଏମ୍ ଗୁଡ଼ିକୁ ରିକାଲିବ୍ରେଟ୍ କରାଯାଉଛି । ଭାରତ ଇତିହାସରେ ପ୍ରଥମ ଥର ପାଇଁ ପ୍ରଚଳନ କରାଯାଇଥିବା ୨୦୦ ଟଙ୍କିଆ ନୋଟ୍ ହାସଲ କରିବା ନିମନ୍ତେ ଆର୍ବିଆଇ କାର୍ଯ୍ୟାଳୟ ସାମ୍ନାରେ ଲୋକମାନଙ୍କ ଲମ୍ବା ଧାଡ଼ି ଲାଗୁଛି । କେତେକ ନିର୍ଦ୍ଦିଷ୍ଟ ଆର୍ବିଆଇ କାର୍ଯ୍ୟାଳୟ ଏବଂ ବ୍ୟାଙ୍କରେ ନୂଆ ୨୦୦ ଟଙ୍କିଆ ନୋଟ୍ ମିଳୁଛି ।