ଆଇଇଆଇଟି ମାଡ୍ରାସର ନୂଆ ଆକଳନ: ଦେଶରେ ଖସୁଛି ଆର ଭାଲ୍ୟୁ, ୱାସିଂଟନର ବୈଜ୍ଞାନିକଙ୍କ ମତରେ ଶୀଘ୍ର ସରିବ ମହାମାରୀ 

177

କନକ ବ୍ୟୁରୋ: କ୍ରମାଗତ ହ୍ରାସ ପାଉଛି ଦେଶର ଆର ଭାଲ୍ୟୁ । ଜାନୁଆରୀ ୭ରୁ ୧୩ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ଦେଶର ଆର ଭାଲ୍ୟୁ ୨.୨କୁ ଖସିଆସିଛି । ଅର୍ଥାତ ଜଣେ କରୋନା ଆକ୍ରାନ୍ତ ୨ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାକୁ ସକ୍ଷମ । ଆର ଭାଲ୍ୟୁ କମିବା ଏକ ଭଲ ସୂଚନା । କାରଣ ଦେଶର ଆର ଭାଲ୍ୟୁ ୧ରୁ ତଳକୁ ଖସିଲେ ଶେଷ ହୋଇଯିବ ମହାମାରୀ । ଆଇଆଇଟି ମାଡ୍ରାସର ଆକଳନ ଅନୁସାରେ …

ଦେଶର ‘ଆର’ ଭାଲ୍ୟୁ 

– ଡିସେମ୍ବର ୨୫ରୁ ୩୧ ମଧ୍ୟରେ ଆର ଭାଲ୍ୟୁ ଥିଲା- ୨.୯

– ସେହିପରି ଜାନୁଆରୀ ୧ରୁ ୪ ମଧ୍ୟରେ ଥିଲା- ୪

– ଜାନୁଆରୀ ୭ରୁ ୧୩ ମଧ୍ୟରେ ଏହା ଖସି ହୋଇଛି- ୨.୨

ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ମତରେ ଜଣେ ଆକ୍ରାନ୍ତଙ୍କଠାରେ ଥିବା ଭୂତାଣୁ କେତେ ସଂକ୍ରାମକ, ସେ କେତେଜଣଙ୍କ ସଂସ୍ପର୍ଷରେ ଆସିଛନ୍ତି ଏବଂ କେତେ ସମୟ ଭିତରେ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମିତ ହେଉଛି, ତା ଉପରେ ନିର୍ଭର କରେ ଆର ଭାଲ୍ୟୁ ।

ଓମିକ୍ରନ୍ ଭୂତାଣୁ ଯୋଗୁଁ ଦେଶରେ ଆରମ୍ଭ ହୋଇଥିବା କରୋନାର ନୂଆ ଲହର କେଉଁଠି ଶୀର୍ଷକୁ ଛୁଇଁ ସାରିଲାଣି ତ ପୁଣି କେଉଁଠି ଶୀର୍ଷରେ ପହଂଚିବାକୁ ବାକି ଅଛି । ତେଣୁ ଏବେ ଦେଶର ବିଭିନ୍ନ ସହରରେ ଆର ଭାଲ୍ୟୁ ମଧ୍ୟ ଅଲଗା ଅଲଗା ରହିଛି ।

ସହରରେ ‘ଆର’ ଭାଲ୍ୟୁ

– ମୁମ୍ବାଇରେ ଆର ଭାଲ୍ୟୁ- ୧.୩

– ଦିଲ୍ଲୀର ଆର ଭାଲ୍ୟୁ- ୨.୫

– ଚେନ୍ନାଇରେ ଏହା- ୨.୪

– କୋଲକାତାରେ – ୧.୬

କୋଭିଡକୁ ପ୍ରଭାବହୀନ କରିବା ପାଇଁ ପ୍ରତିଶେଧକ ଟିକା ହିଁ ସବୁଠାରୁ ବଡ ଅସ୍ତ୍ର । ବର୍ତମାନ ଏହି ଶକ୍ତିଶାଳୀ ଅସ୍ତ୍ରର ପ୍ରୟୋଗ କରାଯାଉଥିବାରୁ ମହାମାରୀ ଆଉ ବେଶିଦିନ ରହିବ ନହିଁ । କରୋନାର ଶେଷଦିନ ପାଖେଇ ଆସିଲାଣି ବୋଲି ବିଶେଷଜ୍ଞ କହିଛନ୍ତି ।

ୱାସିଂଟନର ବିଶିଷ୍ଟ ବୈଜ୍ଞାନିକ ତଥା ଭୂତାଣୁତତ୍ୱବିତ୍ ଡକ୍ଟର କୁତବ ମେହମୁଦ କହିଛନ୍ତି ଯେ, କରୋନା ଭୂତାଣୁ ଶୀଘ୍ର ଅଜ୍ଞାତାବସକୁ ଚଲିଯିବ ଏବଂ ଲୋକଙ୍କର ବିଜୟ ହେବ । କାରଣ ଭୂତାଣୁ ଉପରେ ରୁପ ବଦଳାଇବା ଏବଂ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ସହ ଖାପ ଖୁଆଇ ଚଳିବା ନେଇ ପ୍ରବଳ ଚାପ ରହିଛି । ତେଣୁ ଭୂତାଣୁ ନିଜକୁ ବଂଚାଇ ରଖିବା ପଇଁ ମ୍ୟୁଟେସନ ବା ରୁପ ବଦଳାଇ ବଦଳାଇ ଥକି ଗଲାଣି । ଆଗାମୀ ଦିନରେ ନୂଆ ମ୍ୟୁଟେସନ୍ ହୋଇପାରେ କିନ୍ତୁ ଏହା ସେତେଟା ପ୍ରଭାବୀ ହେବନାହିଁ । ଭାରତ ଗୋଟିଏ ବର୍ଷରେ ୬୦ ପ୍ରତିଶତ ଟିକାକରଣ କରି କରୋନା ବିରୋଧରେ ଉଲ୍ଲେଖନୀୟ ସଫଳତା ପାଇ ପାରିଥିବା କହିଛନ୍ତି ଡକ୍ଟର ମେହମୁଦ । କାରଣ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଟିକା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ କହିଛନ୍ତି ।