ଆଇନ ଇତିହାସରେ କଳାଦିନ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଲାଗିଲା ନାରା । ହାଇକୋର୍ଟ ଆଗରେ ଫଟୋରେ ଚପଲ ମାଳ ପିନ୍ଧାଇବା ସହ କୁଶପୁତଳିକା ଦାହ କଲେ ଆଇନଜୀବୀ

37

କନକ ବ୍ୟୁରୋ: କଟକ ହାଇକୋର୍ଟ ଆଗରେ ଆଜି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଆଇନ୍ ଇତିହାସରେ କେବେ ଦେଖାଯାଇନଥିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ନାରା ଦେଇଛନ୍ତି ଆଇନଜୀବୀ । ଏପରିକି ଆଇନଜୀବୀମାନେ, ପ୍ରଧାନ ବିଚାରପତିଙ୍କ ଫଟୋରେ ଚପଲ ମାଳ ପିନ୍ଧାଇଛନ୍ତି , କୁଶପୁତଳିକା ଜାଳିଛନ୍ତି । ମୁଖ୍ୟ ଫାଟକ ଅବରୋଧ କରି ବିଚାରପତିଙ୍କୁ ଭିତରକୁ ଛାଡିନାହାଁନ୍ତି । ଗତକାଲି ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଆଇନଜୀବୀ ମାନେ ନିଜ ଜିଦରେ ଅଟଳ ରହି ଆନ୍ଦୋଳନକୁ ଆହୁରି ଜୋରଦାର କରିଛନ୍ତି ।

ଓକିଲଙ୍କୁ ପୋଲିସ ମାଡ ପ୍ରତିବାଦରେ ଗତ ଅଗଷ୍ଟ ୨୯ରୁ ଏହିଭଳି ଆନ୍ଦୋଳନ ଚଳାଇଛନ୍ତି ଆଇନଜୀବୀ । ସବୁଠାରୁ ବଡକଥା ହେଉଛି ଲୋକଙ୍କ ଆଇନଗତ ଅଧିକାର କ୍ଷୁର୍ଣ୍ଣ ନକରି ତୁରନ୍ତ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ସହ କାର୍ଯ୍ୟରେ ଯୋଗ ଦେବାକୁ କହିଥିଲେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ତଥାପି ବାର ଆସୋସିଏସନ କର୍ମକର୍ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ ।

ଆଡଭୋକେଟ୍ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ ତାରିଖରେ ପୋଲିସ ମାଡ ମାରିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ୨୯ ତାରିଖରୁ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଏହି କାରଣରୁ ଓଡିଶା ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ମଧ୍ୟ କୋର୍ଟରେ ହାଜର ହୋଇପାରୁ ନାହାନ୍ତି । ସେପ୍ଟେମ୍ବର ୨୮ ସୁଦ୍ଧା ତାଙ୍କୁ ଓଡିଶାର ତଳ କୋର୍ଟରେ ହାଜର ହେବା ଲାଗି କହିଥିଲେ ଦିଲ୍ଲୀ ସାକେତ୍ କୋର୍ଟ । ତେଣୁ ସୁପ୍ରିମକୋର୍ଟଙ୍କ ସୁରକ୍ଷା ଲୋଡି ଆବେଦନ କରିଥିଲେ ଅଭିଜିତ । ଯେଉଁ ଆବେଦନର ଶୁଣାଣି କରି ଆଇନଜୀବୀଙ୍କୁ ଆନ୍ଦୋଳନରୁ ଓହରିବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ ।