ବାପା ଛାଡି ଚାଲିଗଲାପରେ ମା’ ମୁଣ୍ଡ କାମ କରୁନି, ପାଠ ଦି ଅକ୍ଷର ପଢିବି କେମିତି? ପ୍ରଶାସନକୁ ଅସହାୟ ଜୟଦେବର କରୁଣ ନିବେଦନ

155

କନକ ବ୍ୟୁରୋ: ପିଲାବେଳୁ ବାପା ଛାଡି କୁଆଡେ ଚାଲିଗଲେ । ତାଙ୍କୁ ଝୁରି ଝୁରି ମା’ ବି ପାଗେଳି ହୋଇଗଲା । ଘରେ ମୋର ବୁଢି ମା’ । ସାହା ବୋଲି ଆମର କେହି ନାହିଁ । ଆମେ ଖାଇବୁ କ’ଣ ? ବଞ୍ଚିବୁ କେମିତି? ମୁଁ ପାଠ ପଢିବାକୁ ଚାହୁଁଛି ହେଲେ ପଢିବି କେମିତି? ସରକାର ସାହାଯ୍ୟ କଲେ ଦି ଅକ୍ଷର ପାଠ ପଢନ୍ତି, ଭଲ ମଣିଷ ହୁଅନ୍ତି । ଏ ହେଉଛି କୁନି ପୁଅ ଜୟଦେବର କୋହଭରା ନିବେଦନ

ଏ ହେଉଛନ୍ତି ପଟ୍ଟାମୁଣ୍ଡେଇ ଖଡିପାଳ ଗାଁର ବୃଦ୍ଧା ଲକ୍ଷ୍ମୀପ୍ରିୟା ବିଶ୍ୱାଳଙ୍କ ନାତି ଜୟଦେବ । ପାଠରେ ବେଶ୍ ଆଗୁଆ ହେଲେ ପଢିବାକୁ ରାହା ନାହିଁ । ଖାତା ବହିଟେ କିଣିବାକୁ ପାଖରେ ଟଙ୍କାଟେ ନାହିଁ । ଭୋକରେ ପେଟ ପୋଡୁଛି, ପାଠପଢା କଥା ଭାବି ପାରୁନି ଜୟଦେବ । ଜୟଦେବର ମା’ ନମିତା ସେହି ଗାଁରେ ବିବାହ କରିଥିଲେ । କିଛି ମାସ ସବୁ ଠିକ୍ ଚାଲିଥିଲା । ହେଲେ ହଠାତ୍ ସବୁ ଓଲଟପାଲଟ ହୋଇଗଲା । ବାପା କାହାକୁ କିଛି ନକହି କେଉଁଆଡେ ଚାଲିଗଲେ ଯେ ଆଉ ଫେରିଲେ ନାହିଁ । ବାଧ୍ୟହୋଇ ୭୫ ବର୍ଷର ବୁଢି ମା’ ପାଖକୁ ଚାଲି ଆସିଲେ ମା’ ପୁଅ । କୋଳ ଝୁଆଟାକୁ ଧରି ପାଖ ସ୍କୁଲରେ ପାଚିକା ଭାବେ କାମ କରି ଯାହା ୧୪୦୦ ଟଙ୍କା ଓ ୫ କେଜି ଚାଉଳ ପାଉଥିଲେ ସେଥିରେ କଷ୍ଟରେ ଚଳୁଥିଲେ । ହେଲେ ଦଇବ ଆହୁରି ଦାଉ ସାଧିଲା । ସ୍ୱାମୀକୁ ଝୁରି ଝୁରି ମାନସିକ ଭାରସାମ୍ୟ ହରାଇଲେ ମା’ ନମିତା । ତା’ ପରେ ବିପିଏଲ ଚାଉଳ ଗଣ୍ଡାକ ବି ବନ୍ଦ ହୋଇଗଲା । ଏପଟେ ବୁଢିମା’ର ହାତ ଟିପ ଉଠୁନଥିବାରୁ ତାକୁ ବି ମିଳୁଥିବା ଚାଉଳ ବି ମିଳୁନାହିଁ । ଫଳରେ ବୁଢି ମା’ ପଡୋଶି ଘରୁ ମାଗିଯାଚି ଆଣି ସେମାନଙ୍କ ପେଟରେ ଦାନା ଦେଉଛି । ଆଉ ଯେଉଁଦିନ କିଛି ନମିଳିଲା ସେଦିନ ଖାଡା ଉପାସ ।

ନାତି ଜୟଦେବ ପାଠପଢାରେ ଆଗୁଆ ହୋଇଥିଲେ ବି ଭବିଷ୍ୟତ ତା’ର ଯେମିତି ଅନ୍ଧାର ଲାଗୁଛି । ଖାତାଟିଏ କି ବହିଟିଏ କିଣିବାକୁ ପଇସା ଟିଏ ନାହିଁ । ଯେଉଁଠି ଦି ମୁଠା ଦିଓଳି ଖାଇବା ମିଳିବା କଷ୍ଟ ସେଠି ମାଠପଢା କଥା ଭାବିପାରୁନି ଜୟଦେବ । ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିଛି ଜୟଦେବ

ଗଣମାଧ୍ୟମରେ ବୁଢିମାଉସୀଙ୍କ ଏ ଦୁଃଖ ଦେଖିଲା ପରେ ଯଦି ପ୍ରଶାସନ ସହାୟତାର ହାତ ବଢାନ୍ତା ତେବେ ଅନ୍ତତଃ ନାତିଟାର ଭବିଷ୍ୟତ ସୁଧରିଯାଆନ୍ତା