ଦେଶ ରାଜନୀତିରେ ପିଆଜର ଭୂମିକା । କେବେ କାହାକୁ ଦେଇଛି ଗାଦିି ତ କାହାଠାରୁ ଛଡାଇ ନେଇଛି କ୍ଷମତା

799

କନକ ବ୍ୟୁରୋ : ଅନେକ ସମୟରେ ପିଆଜକୁ ରାଜନୈତିକ ପରିବା ବୋଲି ମଧ୍ୟ କୁହାଯାଇଥାଏ । ଦେଶରେ ପିଆଜକୁ ନେଇ ଯେତେ ରାଜନୀତି ହୋଇଛି ସେହି ତୁଳନାରେ ଅନ୍ୟ ପନିପରିବା ପିଆଜର ପାଖ ମାଡିପାରି ନାହାଁନ୍ତି । ସମସ୍ତ ପରିବା ଠାରୁ ଭିନ୍ନ ପିଆଜ ନିଜ ଦମରେ କେବେ ସରକାର ଗଢିଛି ତ କେତେ ସରକାର ଭାଙ୍ଗିଛି । ରାଜନୀତିରେ ପିଆଜର ଭୂମିକାକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ଶେଷ ହୋଇଥିଲା । ଜରୁରୀକାଳୀନ ପରିସ୍ଥିତି ପରେ ଦେଶରେ ଜନତାଦଳର ସରକାର ଆସିଥିଲା । ଏହି ସରକାରରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ବିରୋଧୀ ଆସନରେ ବସିଥିଲା । ଏହି ସମୟରେ ପିଆଜର ଦାମ ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଏହାର ସୁଯୋଗ ନେଇ କଂଗ୍ରେସ ଏହାକୁ ପ୍ରସଙ୍ଗ କରି ଜନତାଦଳ ସରକାରକୁ ଘେରିଥିଲା । କଂଗ୍ରେସ ସାଂସଦ ପିଆଜ ମାଳ ପିନ୍ଧି ସଂସଦକୁ ଆସିଥିଲେ । ଏହା ପୁରା ଦେଶବାସୀଙ୍କ ଉପରେ ପ୍ରଭାବ ପକାଇଥିଲା । ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ଜନତା ଦଳ ସରକାରକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଏସବୁ ଭିତରେ ନିର୍ବାଚନ ତାରିଖ ଘୋଷଣା ହୋଇଗଲା । ଜରୁରୀକାଳୀନ ପରିସ୍ଥିତିରେ ଜନତାଙ୍କ ଆକ୍ରୋଶରେ ଶିକାର ହୋଇଥିବା ଇନ୍ଦିରା ଗାନ୍ଧୀ ପିଆଜକୁ ହତିଆର କରି ପୁଣି ଜନତାଙ୍କ ସହାନୁଭୂତି ହାସଲ କରିବାକୁ ଚେଷ୍ଟା କରିଥିଲେ । ଆଉ ନିର୍ବାଚନ ପ୍ରଚାର ବେଳେ ବେକରେ ପିଆଜର ମାଳ ପିନ୍ଧି ମଞ୍ଚରେ ଭାଷଣ ଦେଲେ । ଏହା ଲୋକଙ୍କ ଉପରେ ଏତେ ପ୍ରଭାବ ପକାଇଲା କି ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଥିବା ରାଗକୁ ଲୋକମାନେ ଭୁଲି ପୁଣି କଂଗ୍ରେସକୁ କ୍ଷମତାକୁ ଫେରାଇଆଣିଲେ ।

ପିଆଜ ଇନ୍ଦିରାଙ୍କୁ ସିନା ଗାଦୀ ଫେରିପାଇବାରେ ସହାୟକ ହେଲା ହେଲେ ଅଟଳ ବିହାରୀ ବାଜପେୟୀଙ୍କୁ ଗାଦିଚ୍ୟୁତ ମଧ୍ୟ କରିଦେଇଥିଲା । ୧୯୯୮ ମସିହାରେ ପୋଖରଣ ପରାମାଣୁ ପରୀକ୍ଷଣ ପରେ ହଠାତ ଦେଶରେ ପିଆଜର ଦାମ ବଢିଯାଇଥିଲା । ବିରୋଧୀ ଦାବି କରିଥିଲେ କି ହଜାର ହାଜର ଟନ୍ ପିଆଜକୁ ସରକାର ପୋଖରଣ ବାଲିରେ ପୋତି ଦେଇଛନ୍ତି । ଏହି ଖବର ଏତେ ପ୍ରଚାରିତ ହେଲା ଯେ କିଛିଦିନ ମଧ୍ୟରେ ବାଜପେୟୀଙ୍କ ସରକାର ଭାଙ୍ଗିଯାଇଥିଲା । ଆଉ ବାଜପେୟୀ କେବେ ବି ଗାଦୀରେ ବସିପାରି ନଥଲେ ।

ପିଆଜ ଗରିବ ପଖାଳର ସାଥୀ ତ ବଡ ବଡିଆଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ । କେବେ ପିଆଜର ଦାମ ଆକାଶଛୁଆଁ ହେଲେ ଖାଉଟିଙ୍କ ଆଖିରୁ ଲୁହଗଡେ ତ ପୁଣି କେବେ ଶସ୍ତା ହୋଇଗଲେ ଚାଷୀବାପୁଡା କାନ୍ଦେ । ଏବେ ଏବେ ମହାରାଷ୍ଟ୍ରର ନାସିକରୁ ହଜାର ହଜାର ପିଆଜ ଚାଷୀ ଏକ ପଦଯାତ୍ରା କରି ମହାରାଷ୍ଟ୍ର ବିଧାନସଭା ଅଭିମୁଖେ ଯାତ୍ରା କରିବାର ଚିତ୍ର ବେଶ୍ କିଛି ବୟାନ କରୁଥିଲା । ସେମାନଙ୍କ ପଦଯାତ୍ରା ଦେଖି ମହାରାଷ୍ଟ୍ରର ସିନ୍ଦେ ସରକାର ତୁରନ୍ତ ସେମାନେ ବିଧାନସଭା ନିକଟରେ ପହଂଚିବା ପୂର୍ବରୁ ଚାଷୀଙ୍କର ସମସ୍ତ ଦାବି ମାନି ନେଇଥିଲେ । କାରଣ ସିନ୍ଦେ ଜଣେ ବରିଷ୍ଠ ରାଜନେତା ହୋଇଥିବାରୁ ଦେଶ ରାଜନୀତିରେ ପିଆଜର ଭୂମିକାକୁ ସେ ବୁଝି ସାରିଥିଲେ ।