ବଲାଙ୍ଗୀର ଜିଲ୍ଲାରେ କେମିତ ଚାଲିଛି ଧାନ ସଂଗ୍ରହ । ଗୁମର ଖୋଲିଲା କଳିକେଶ ସିଂଦେଓଙ୍କ ଚିଠି । ଟୋକନ ବ୍ୟବସ୍ଥାରେ ସମସ୍ୟା ଥିବା ମାନିଲେ ବିଜେଡି ନେତା?

110

କନକ ବ୍ୟୁରୋ: ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ବିଜେପି ବଡ଼ ଧରଣର ଆନ୍ଦୋଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଧାନ କିଣାର ଅବ୍ୟବସ୍ଥା କଥା ଉଠାଇଛନ୍ତି ପୂର୍ବତନ ବିଜେଡି ସାଂସଦ କଳିକେଶ ସିଂଦେଓ । ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖି ସେ ଉଲ୍ଲେଖ କରିଛନ୍ତି ଯେ…

ଗତବର୍ଷ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ୪୮,୯୮୮ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୩, ୮୧୯ ଜଣ ଚାଷୀଙ୍କଠାରୁ ୩୧, ୨୮, ୩୭୮ କ୍ୱିଂଟାଲ ଧାନ ସଂଗ୍ରହ ହୋଇଥିଲା । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ୩୬% ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲାରେ ୩୦, ୬୮, ୬୦୦ କ୍ୱିଂଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍ ରହିଛି । ଟାର୍ଗେଟ୍ ବୃଦ୍ଧି କରାଯାଇନଥିବା ବେଳେ ଚାଷୀଙ୍କୁ ଟୋକନ୍ ଦିଆ ଚାଲିଛି । ଏଭଳି ସ୍ଥିତିରେ ଅଧିକ ଉତ୍ପାଦନ କରିଥିବା ଚାଷୀଙ୍କ ଭିତରେ ଧାନ ବିକ୍ରି ନେଇ ସନ୍ଦେହ ରହିଛି । ସେହିପରି ଟାର୍ଗେଟ୍ ପୂରଣ ହୋଇଯାଇଥିବାରୁ ଅନେକ ଚାଷୀଙ୍କ ଟୋକନ୍ ଲାପ୍ସ କରିଯାଇଛି । ତେଣୁ କରି ବଲାଙ୍ଗୀର ଜିଲ୍ଲାରେ ଅଭାବି ବିକ୍ରି ରୋକିବା ପାଇଁ ଟାର୍ଗେଟକୁ ଆହୁରି ୩୦,୦୦୦ ମେଟ୍ରିକ୍ ଟନ୍ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ।

 ପୂର୍ବତନ ବିଜେଡି ସାଂସଦ, କଳିକେଶଙ୍କ ଏହି ଚିଠିରୁ ଗୋଟିଏ କଥା ସ୍ପଷ୍ଟ ଯେ, ବଲାଙ୍ଗୀର ଜିଲ୍ଲାରେ ଟୋକନ୍ ସମସ୍ୟା ରହିଛି । ଏମିତି କି ଉତ୍ପାଦିତ ଧାନ ବିକ୍ରି କରିବାରେ ଚାଷୀଙ୍କ ଭିତରେ ସମସ୍ୟା ରହିଛି । ଆଉ ଯେତେବେଳେ ଶାସକ ଦଳର ଜଣେ ନେତା ଚାଷୀଙ୍କ ସମସ୍ୟା ଉଠାଇଛନ୍ତି, ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଆଉ ଏକ ମୌକା ମିଳିଯାଇଛି । ରାଜନୀତିର ଏହି ବୟାନବାଜୀ ଭିତରେ କିନ୍ତୁ ସାରା ରାଜ୍ୟର ବିଭିନ୍ନ ମଣ୍ଡିରୁ ଧାନ ସଂଗ୍ରହ ନେଇ ଥିବା ଅବ୍ୟବସ୍ଥାର ଚିତ୍ର ଆସିବାରେ ଲାଗିଛି ।