ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରସାଦ ଦର ବୃଦ୍ଧିକୁ ନେଇ କିନ୍ତୁ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ । 

192

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ହେଲେ ମହାପ୍ରସାଦର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଖର୍ଚ୍ଚ ବଢ଼ୁଥିବାରୁ ଦର ବଢ଼ିଥିବା କହିଛି ସୁପକାର ନିଯୋଗ ।

ମହାପ୍ରସାଦ ଦରକୁ ନେଇ ଅସନ୍ତୋଷ
୩ ଗୁଣା ବଢ଼ିଥିବା ଅଭିଯୋଗ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ବ୍ୟାକୁଳ ହୋଇଥାଏ ଶ୍ରଦ୍ଧାଳୁ । ହେଲେ, ହଠାତ ଦରବୃଦ୍ଧି ହୋଇଥିବା ଅଭିଯୋଗ ଯୋଗୁଁ ସାଧାରଣ ଭକ୍ତଟିଏ ପାଇଁ ମହାପ୍ରସାଦ ଟିକେ ପାଇବା ଏବେ ସ୍ୱପ୍ନ ହୋଇଯାଇଛି । ଯେଉଁମାନେ ଦାବି ଅନୁସାରେ ଟଙ୍କା ଦେଇ ପାରୁଛନ୍ତି ସେମାନେ ଅବଢ଼ା ପାଉଛନ୍ତି । ନଚେତ ମହାପ୍ରସାଦ ନ ପାଇ ଫେରିବାକୁ ବାଧ୍ୟ ହେଉଛନ୍ତି । ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ଯେଉଁ ଅବଢ଼ା ୧୦୦ଟଙ୍କାରେ ମିଳୁଥିଲା ଏବେ ତାର ଦର ୩୦୦ ଟଙ୍କାରେ ପହଁଚିଛି । ଅର୍ଥାତ ପୂର୍ବଦର ଅନୁସାରେ ୩ ଗୁଣ ବଢ଼ିଛି ଅବଢ଼ା ଦର ।

କାହିଁକି ବଢ଼ୁଛି ଅବଢ଼ା ଦର?
କେବେ କମିବ ମହାପ୍ରସାଦ ମୂଲ୍ୟ?

ଅବଢ଼ା ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ପ୍ରତିକ୍ରିୟା ରଖିଛି ସୁପକାର ଓ ମହାସୁପକାର ନିଯୋଗ । ନିଯୋଗ ପକ୍ଷରୁ କୁହାଯାଇଛି, କରୋନା ଯୋଗୁଁ ଶ୍ରୀମନ୍ଦିର ପକ୍ଷରୁ ଅବଢ଼ା ଦୋକାନ ଖୋଲାଯାଇନି । ଏବେ କେବଳ ସୁପକାର ଓ ମହାସୁପକାର ନିଯୋଗ ପକ୍ଷରୁ କୋଠ ଦୋକାନ କରାଯାଇଛି । କୋଠ ତରଫରୁ ସବୁ କିଛି କିଣାଯାଇ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଯାଇଛି । କମ୍ ଜିନିଷ କିଣା ଯାଉଥିବାରୁ ଦର ଚଢ଼ା ରହୁଛି । ତେବେ ଆନନ୍ଦବଜାର ଖୋଲିଲେ ପୁଣି ଥରେ ଅବଢ଼ାର ଦର କମିବ ବୋଲି ଆଶା ରଖିଛି ନିଯୋଗ ।

ପୂର୍ବରୁ ଭକ୍ତଙ୍କୁ ସୁହାଇଲା ଭଳି ଦର ତାଲିକା ଆନନ୍ଦବଜାର ଓ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାହା ଏଯାଏଁ ଲଗାଯାଇନାହିଁ । ଯାହାକି ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣରେ ରହୁଛି । ତେଣୁ ଅବଢ଼ା ଦର ନିର୍ଦ୍ଧାରଣ କରିବାକୁ ଦାବି ହେଉଛି ।