ଜିନ୍ଦଲ କମ୍ପାନୀର ଚୂନ ପଥର ଖଣି ପାଇଁ ଜମି ଅଧିଗ୍ରହଣକୁ ବିରୋଧ । ପରିବେଶ ସମ୍ପର୍କିତ ଜନଶୁଣାଣି ବେଳେ ପ୍ରତିବାଦକୁ ଓହ୍ଲାଇଲେ ସ୍ଥାନୀୟ ଆଦିବାସୀ

118

କନକ ବ୍ୟୁରୋ: ଜୀବନ ଦେଇ ଦେବୁ କିନ୍ତୁ ଜମି ନୁହେଁ । ଏହିଭଳି କିଛି ନାରା ଦେଇ ତାତି ଉଠିଛନ୍ତି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ । ଆଜି ସୁନ୍ଦରଗଡ କୁତ୍ରା ବ୍ଲକ ଖତକୁରବାହାଲରେ ଜିନ୍ଦଲର ଚୂନପଥର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣି ହେଉଥିଲା । ସ୍ଥାନୀୟ ଆଦିବାସୀ ଏକାଠି ହୋଇ ସେଠାରେ ପହଂଚି ଉଭୟ ପ୍ରଶାସନ ଓ ଜିନ୍ଦଲକୁ ନାଲି ଆଖି ଦେଖାଇଛନ୍ତି ।

ରଣକ୍ଷେତ୍ର ପାଲଟିଲା ଜନ ଶୁଣାଣି । ଜିନ୍ଦଲ କମ୍ପାନୀର ଚୂନ ପଥର ଖଣି ପାଇଁ ଜମି ଅଧିଗ୍ରହଣକୁ ଜୋରଦାର ବିରୋଧ । ପରିବେଶ ସମ୍ପର୍କିତ ଜନଶୁଣାଣି ବେଳେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଆଦିବାସୀ । ସୁନ୍ଦରଗଡରେ କୁତ୍ରା ଖତକୁରବାହାଲରେ ଜିନ୍ଦଲ କମ୍ପାନୀର ସିମେଂଟ କାରଖାନା ଚୂନପଥର ଖଣିର ସଂପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ପରିବେଶ ଓ ଜମି ଅଧିଗ୍ରହଣ ଜନଶୁଣାଣି ହେଉଥିଲା । ସ୍ଥାନୀୟ ଆଦିବାସୀ ଏହାକୁ ବିରୋଧ କରି ପ୍ରଶାସନ ଓ କମ୍ପାନୀକୁ ନାଲି ଆଖି ଦେଖାଇଛନ୍ତି । ସମ୍ବିଧାନର ପଂଚମ ଅନୁସୂଚୀ ଅନୁଯାୟୀ ଗ୍ରାମସଭା କରାଯାଉ । କଂପାନୀ ଦଲାଲ ଲଗାଇ ଶାଗ ମାଛ ଦରରେ ଜମି କିଣି ନେଉଛି ଏବଂ ପ୍ରକୃତ ବିସ୍ଥାପିତଙ୍କୁ ଜନଶୁଣାଣିରେ କହିବାକୁ ସୁଯୋଗ ଦେଉନାହିଁ ବୋଲି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଦିବାସୀ ।

ଖତକୁର ବାହାଲରେ ଥିବା ଚୂନ ପଥର ଖଣି ବାବଦକୁ ୧୫୬ ହେକ୍ଟର ଜମି ଅଧିଗ୍ରହଣ ହେବ । ହେଲେ ଏହାକୁ ବିରୋଧ କରୁଛନ୍ତି ଆଦିବାସୀମାନେ । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି ଜିଦ୍ରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ଜିଲ୍ଲାରେ ପୁଣିଥରେ ପେଶା ଆନ୍ଦୋଳନ ମୁଣ୍ଡ ଟେକିଛି । ଅନ୍ୟପଟେ ରାଜଗାଙ୍ଗପୁର ବିଧାୟକ ଡା.ସିଏସ ରାଜନ ଏକ୍କା ଜନଶୁଣାଣୀ ସ୍ଥଳକୁ ଯାଇ ସେଠାରେ ପ୍ରଶାସନର କାର୍ଯ୍ୟକଳାପ ଉପରେ ସନ୍ଦେହ କରି ଜନଶୁଣାଣୀକୁ ବିରୋଧ କରିଛନ୍ତି ।

ଆଜିଠୁ ଠିକ୍ ୨ ବର୍ଷ ପୂର୍ବେ ନିଜ ଗାଁରେ ନିଜ ଶାସନର ଦାବି ନେଇ କୁତ୍ରାରେ ପେଶା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ନିଜ ଗାଁରେ ନିଜେ ଶ।।ସନ କରିବେ ବୋଲି ଆଦିବାସୀମାନେ ଗାଁ ଭିତରକୁ ପ୍ରଶାସନର ପ୍ରବେଶ ବାରଣ କରିଥିଲେ । ପରେ କିଛି ଦିନ ପାଇଁ ଏହି ଆନ୍ଦୋଳନ ଥମି ଯାଇଥିଲା । ଆଉ ଏବେ ପୁଣି ମୁଣ୍ଡ ଟେକିଛି ।