କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ କୋରାପୁଟ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ କୋଟିଆ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଟିଆ ପଞ୍ଚାୟତ ସଦର ମହକୁମାରେ ଥାନା, ମେଡିକାଲ ଓ ହାଇସ୍କୁଲ ନିର୍ମାଣ ନେଇ ଜାଗା ଚିହ୍ନଟ କରିଛନ୍ତି । ଏହା ସହ ସରକାରୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ମଧ୍ୟ ଅନୁଧ୍ୟାନ କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି । ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଲାଗିରହିଛି । ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ଉଦ୍ୟମ କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp