ବାରବାଟୀ ଟି-୨୦ରେ ଚାଲିଥିଲା ନକଲି ପାସ୍ କାରବାର: ଓସିଏର ପ୍ରତିକ୍ରିୟା, ବଦନାମ କରିବାକୁ ହେଉଛି ଉଦ୍ୟମ

169

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ରେ ନକଲି ପାସ୍ କାରବାରର ଗୁମର ଖୋଲୁଛି । ନକଲି ପାସ୍ ନେଇ ମାଳମାଳ ଲୋକ ଷ୍ଟାଡିୟମ୍ ଭିତରେ ପଶି ପଡିଆରେ ବୁଲୁଥିଲେ । ହାଇସିକ୍ୟୁରିଟି ଜୋନ୍କୁ ଯାଇ ଫଟୋ ଉଠାଉଥିଲେ ଆଉ ସୋସିଆଲ ମିଡିଆରେ ଅପ୍ଲୋଡ୍ ବି କରୁଥିଲେ । ନକଲି ପାସ୍ ଦେଖିବାକୁ ଅସଲି ପାସ୍ ଭଳି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ ରହିଛି । ପାସ୍ ଉପରେ ବ୍ୟକ୍ତିଙ୍କ ପରିଚୟ ରହିଛି ଆଉ ବେକରେ ଓସିଏ ଫିତା ବି ରହିଛି । ହେଲେ କାହାର ପରିଚୟ ‘ଏମ୍ଏଲ୍ଏ କ୍ରିଉ’ ତ ଆଉ କାହାର ପରିଚୟ ‘ବିଜେଡି ଭଲ୍ୟୁଂଟିଅର’ ଲେଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏମ୍ଏଲ୍ଏ କ୍ରିଉ’ ଲେଖାଥିବା ନକଲି ପାସ୍ରେ ଗଣମାଧ୍ୟମ ରିପୋର୍ଟର ଅବା କ୍ୟାମେରାମ୍ୟାନ୍ ଆଦି ଡ୍ୟୁଟି ଲେଖାଯାଇଛି ।

ଏପରି ହଜାରେରୁ ଅଧିକ ନକଲି ପାସ୍ ନେଇ ଅତି ସହଜରେ ବାରବାଟୀ ଷ୍ଟାଡିୟମ୍ରେ ପ୍ରବେଶ କରିଥିଲେ । ଚର୍ଚ୍ଚା ହେଉଛି ଓସିଏ ଏହି ନକଲି ପାସ କେଳେଙ୍କାରୀରେ ସମ୍ପୃକ୍ତ ଅଛି । ସେପଟେ ନକଲି ଟିକେଟରେ ଷ୍ଟାଡିୟମକୁ ପଶିବା ଘଟଣା ସାମନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । କହିଛନ୍ତି, ଅଭିଯୋଗ ହେଲେ ତଦନ୍ତ କରିବୁ । ପୋଲିସ ନୁହେଁ ଓସିଏ ଇସ୍ୟୁ କରିଥିଲା ପାସ୍ । ଓସିଏ କର୍ମକର୍ତା କହିଛନ୍ତି, ଆମେ ବଦନାମ ହେଉଛୁ, ହେଲେ ଅଭିଯୋଗ କରିବୁ ନାହିଁ । ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛି । ଏନେଇ କିନ୍ତୁ ପୋଲିସକୁ ଅଭିଯୋଗ କରିବୁ ନାହିଁ । ହେଲେ, କାହାକୁ ପାସ୍ ଦିଆଯାଇଛି ସାର୍ବଜନୀନ କରାଯିବ କି ନାହିଁ ବିଚାର କରାଯିବ ।