‘ଅଗ୍ନିପଥ‘ଯୋଜନାକୁ ନେଇ ବିହାରରେ ଖଣ୍ଡଯୁଦ୍ଧ। ରାସ୍ତା, ରେଳଷ୍ଟେସନ ପାଲଟିଲା ରଣକ୍ଷେତ୍ର।

171

କନକ ବ୍ୟୁରୋ: କେନ୍ଦ୍ରସରକାର ସେନାରେ ଭର୍ତ୍ତିକୁ ନେଇ ନିକଟରେ ଘୋଷଣା କରିଥିବା ଅଗ୍ନୀପଥ ଯୋଜନାକୁ ନେଇ ବିହାରରେ ତେଜିଲା ବିରୋଧ । ବିହାରର ଏକାଧିକ ସ୍ଥାନରେ ସେନାରେ ଭର୍ତ୍ତି ପାଇଁ ଆଶାବାଦୀ ଯୁବକମାନେ ଆଜି ରାଜରାସ୍ତାକୁ ଓହ୍ଲେଇ ଟ୍ରାଫିକ୍ ଜାମ୍ କରିଛନ୍ତି । ରାସ୍ତାଘାଟରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଶହଶହ ଯୁବକ । ଏମିତିକି କିଛି ଯୁବକ ହାତରେ ତ୍ରିରଙ୍ଗା ପତାକା ମଧ୍ୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲଗାତାର ଦ୍ୱିତୀୟ ଦିନ ପାଇଁ ବିହାରରେ ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଥିଲା । ଏକାଧିକ ରେଲ-ୱେ ଷ୍ଟେସନ ଆଜି ରଣକ୍ଷେତ୍ର ପାଲଟିଥିଲା । ଭାବୁଆ ରୋଡ ରେଲ-ୱେ ଷ୍ଟେସନରେ ବିକ୍ଷୋଭ କରୁଥିବା ଯୁବକମାନେ ଇଣ୍ଟରସିଟି ଟ୍ରେନର କାଚ ଭାଙ୍ଗିବା ସହ ଟ୍ରେନର ଏକ କୋଚରେ ନିଆଁ ମଧ୍ୟ ଲଗାଇଦେଇଥିଲେ । ବକ୍ସରରେ ପାଟଲିପୁତ୍ର ରେଳପଥ ଜାମ୍ କରିବା ସହ ପଥରମାଡ କରିଥିଲେ ଯୁବକ । କେନ୍ଦ୍ର ସରକାରଙ୍କ ନୁଆ ସ୍କିମ ବିରୋଧରେ ନାରାବାଜି ମଧ୍ୟ ଶୁଣିବାକୁ ମିଳିଥିଲା ।

ବିହାରର ବକ୍ସର, ବେଗୁସରାଇ ଠାରୁ ଆରମ୍ଭ କରି ମୁଜଫରନଗର ଓ ଜହନାବାଦ ଅଞ୍ଚଳରେ ଆଜି ବିରୋଧ ପ୍ରଦର୍ଶନ ହୋଇଛି । ଆରାହ ରେଳ ଷ୍ଟେସନ ନିକଟରେ ଏକ ବଡ ସଂଖ୍ୟାରେ ବିକ୍ଷୋଭ କରୁଥିବା ଛାତ୍ରମାନେ ପୋଲିସ୍କୁ ପଥରମାଡ କରିଥିଲେ୍ । କିଛି ପୋଲିସ୍ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ଘଟଣାକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡିଛି । ବିକ୍ଷୋଭକାରୀଙ୍କ ଆଡକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ୍ । ଖାଲି ବିହାର ନୁହେଁ ଉତ୍ତରପ୍ରଦେଶରୁ ମଧ୍ୟ ବିରୋଧର ଚିତ୍ର ସାମନାକୁ ଆସିଛି । ଉତ୍ତରପ୍ରଦେଶର ଲକ୍ଷେ୍ନ÷ା ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ସେନାରେ ଭର୍ତ୍ତି ପାଇଁ ଦୀର୍ଘ ବର୍ଷ ଧରି ପ୍ରସ୍ତୁତି କରିଆସୁଛନ୍ତି ଲକ୍ଷ ଲକ୍ଷ ଯୁବକ । କିନ୍ତୁ କରୋନା କାରଣରୁ ଦୀର୍ଘ ୨ ବର୍ଷ ଧରି ସେନାରେ ଭର୍ତ୍ତି ବନ୍ଦ ଥିଲା । ତେବେ ଅଗ୍ନିବୀର ଯୋଜନା ଘୋଷଣା ପରେ ସେନାରେ ଭର୍ତ୍ତି ପାଇଁ କିଛି ବର୍ଷ ଧରି ପ୍ରସ୍ତୁତ ହେଉଥିବା ଆଶାୟୀ ଯୁବକଙ୍କର ଆକ୍ରୋଶ ଉଗ୍ରରୂପ ନେଇଛି ।

ଅଗ୍ନିବୀର ସ୍କିମ୍ ଅନୁଯାୟୀ ଦେଶର ମୋଟ ୪୫ ହଜାର ଯୁବପିଢିଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଏହି ଯୋଜନାରେ କେବଳ ୧୭ରୁ ୨୧ ବର୍ଷୀୟ ମହିଳା ଓ ପୁରଷ ସେନାରେ ୪ବର୍ଷ ପାଇଁ ଅସ୍ଥାୟୀ ନିଯୁକ୍ତି ପାଇବେ । ସେମାନଙ୍କ ମାସିକ ଦରମା ୩୦ରୁ ୪୦ ହଜାର ରହିବ । ଏହି ଯୋଜନା ଉପରେ ମୋଦି ସରକାରଙ୍କୁ ଆଉ ଥରେ ଚିନ୍ତା କରିବା ପାଇଁ କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସେହିପରି ୨୦୩୨ ସୁଦ୍ଧା ଭାରତୀୟ ସେନାର ୫୦ ପ୍ରତିଶତ ଅଗ୍ନିବୀର ଥିବା ନେଇ ପୂର୍ବାନୁମାନ କରିଛନ୍ତି ସେନା ଉପମୁଖ୍ୟ ବିଏସ୍ ରାଜ୍ଜୁ ।