ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ପଛରେ କିଏ? ଜାଣନ୍ତୁ, ଥାନାରେ କଣ ଅଭିଯୋଗ କରିଛନ୍ତି ଶୁଭମ ହୀରା ନାମକ ଯୁବକ ।

148

କନକ ବ୍ୟୁରୋ: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ଲଗାଇବା ପଛରେ ରହିଛି କିଏ? ଏହା ସ୍ପଷ୍ଟ ହୋଇନାହିଁ । ହେଲେ ରାଜଧାନୀରେ ପୋଷ୍ଟର ମାରିବା ଘଟଣାକୁ ନେଇ ଗଣ୍ଡଗୋଳ ଘଟଣାରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବେହେରାଙ୍କୁ ଗିରଫ କରିଛି ପୁଲିସ । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଶୁଭମ ହୀରା ନାମକ ଯୁବକ ଅଭିଯୋଗ କରିଛନ୍ତି ।

ଶୁଭମ ହୀରା ଥାନାରେ କରିଥିବା ଅଭିଯୋଗ ଅନୁସାରେ, ମୁଁ ଓ ମୋ କ୍ଲିନିକର ଷ୍ଟାଫମାନେ ପ୍ରାତଃ ସମୟରେ କ୍ଲିନିକର ପୋଷ୍ଟର ବୁଦ୍ଧନଗର କଦଳୀ ଗୋଦାମରେ ଗତକାଲି ଲଗାଇବାବେଳେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ତାଙ୍କ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ତାଙ୍କୁ ଲୁହାରଡରେ ପିଟିଥିଲେ । ପଗଡି ଖୋଲି ଚୁଟି ଧରି ତଳେ ପକାଇ ଚାପିଦେଇଥିଲେ । ମୋବାଇଲକୁ ଭାଙ୍ଗିଦେଇଥିଲେ । ଆଉ ମୋ ପକେଟରେ ଏମପି ମହୋଦୟାଙ୍କ ଚିରା ପୋଷ୍ଟର ରଖି ଧନେଶ୍ୱର ବାରିକ ବାଧ୍ୟ କରି କହିଲେ ତୁ କହ ଏଇ ଭିଡିଓରେ ଜଗା ଭାଇ ଅପରାଜିତା ମ୍ୟାଡାମଙ୍କ ବିରୋଧରେ ପୋଷ୍ଟର ଲଗାଇବା ପାଇଁ କହିଛନ୍ତି ।
ଏହାସହ ଶୁଭମ ହୀରା ତାଙ୍କ ଏଫଆଇଆରରେ ଲେଖିଛନ୍ତି ସେ ଜଣେ ଏମବିଏ ଛାତ୍ର ଓ ବିଜେପିର ସମର୍ଥକ । ଜଗା ଭାଇ ନାମକ ଜଣେ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରି ସେ ଲେଖିଛନ୍ତି, ସେ ଏହି ପୋଷ୍ଟର ଲଗାଇବା ପାଇଁ ବାଧ୍ୟ କରିଥିଲେ ।

ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ନିଖୋଜ ପୋଷ୍ଟର ଲଗାଯାଇଥିଲା । ଏଥିରେ ଲେଖାଯାଇଥିଲା, ଏକାମ୍ର କ୍ଷେତ୍ରରେ ଜାତୀୟ ସ୍ମାରକ କର୍ତୃପକ୍ଷ ଯେଉଁ କଟକଣା ଲଗାଇଛନ୍ତି, ତା ବିରୁଦ୍ଧରେ କାହିଁକି ମୁହଁ ଖୋଲୁନାହାନ୍ତି ଅପରାଜିତା । ତେବେ ନିଖୋଜ ପୋଷ୍ଟରକୁ ନେଇ ବିବାଦ ବଢିବା ପରେ ଖୋଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରି ପ୍ରତିକ୍ରିୟା ରଖିଥିଲେ । ସାଂସଦ କହିଥିଲେ, ଭୁବନେଶ୍ୱରବାସୀ ତାଙ୍କୁ ମିସ କରୁଛନ୍ତି । ଆଉ ଏହା ଜାଣି ସେ ଖୁସି ହୋଇଛନ୍ତି ।