ସେଂଚୁରିଆନ୍ ୟୁନିଭର୍ସିଟିରେ ଆର୍ଥିକ ଅନିୟମିତତା ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ଏତଲା ।

149

କନକ ବ୍ୟୁରୋ: ସେଂଚୁରିଆନ୍ ୟୁନିଭର୍ସିଟିରେ ଆର୍ଥିକ ଅନିୟମିତତା ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇ ଥାନାରେ ଏତଲା ପରେ ଚର୍ଚ୍ଚାକୁ ଆସିଛି ସେଂଚୁରିଆନ୍ ୟୁନିଭର୍ସିଟି । ଜଟଣୀ ପୋଲିସ ଷ୍ଟେସନରେ ଏତଲା ଅନୁସାରେ ତାଲାବନ୍ଦ ସମୟରେ ଅନଲାଇନ ବ୍ୟାଙ୍କିଂ ମାଧ୍ୟମରେ କରାଯାଉଥିଲା ସମସ୍ତ ପେମେଂଟ । ଏହାର ସୁଯୋଗ ନେଇ ସଂସ୍ଥାର ପୂର୍ବତନ ଚିଫ୍ ଫାଇନାନ୍ସିଂ ଅଫିସର , ହିମାଂଶୁ କବି ପ୍ରାୟ ୧୬ଟି ଫାର୍ମ ନାଁରେ ପ୍ରାୟ କୋଟିଏ ଟଙ୍କାର ଜାଲିଆତି କରିଥିବା ଥାନାରେ ଅଭିଯୋଗ ହୋଇଛି । ନିଜ ପଦବୀର ଅପବ୍ୟବହାର କରି ଏହି ଜାଲିଆତି କରିଥିବା ଅଭିଯୋଗ କରିଛି ସଂସ୍ଥା ।

୧୬ଟି ଭେଣ୍ଡରକୁ ଟଙ୍କା ପଠାଇବାକୁ ହିମାଂଶୁ କରିଥିଲେ ଇମେଲ୍
କେଉଁ ଭେଣ୍ଡରଙ୍କୁ କେତେ ଟଙ୍କା ପୈଠ ହେବ ତାହା ବି ଲେଖିଥିଲେ
ଏସଏସ ଏଂଟରପ୍ରାଇଜର୍ସକୁ ୧୧, ୬୫, ୨୩୫ ଟଙ୍କା
ନଳିନାକ୍ଷ ନାୟକଙ୍କ ଖାତାକୁ ୧୧, ୫୬, ୫୩୯ ଟଙ୍କା
ପ୍ଲାନ୍ ଆଣ୍ଡ ମିଡିଆକୁ ଯାଇଛି ୭, ୮୮, ୫୩୭ ଟଙ୍କା

ତେବେ ବିଭିନ୍ନ ଭେଣ୍ଡରଙ୍କୁ ଟଙ୍କା ପୈଠ ନାଁରେ ନଳିନାକ୍ଷ ନାୟକ ଏବଂ ସ୍ୱର୍ଣ୍ଣପ୍ରଭା ଦାଶଙ୍କ ପରି ବ୍ୟକ୍ତିଗତ ଖାତାକୁ ଟଙ୍କା ପଠାଇ ସଂସ୍ଥାର ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି । ଜଟଣୀ ଥାନାରେ ଏତଲା ପରେ ଘଟଣାରେ ଗିରଫ ହୋଇଛନ୍ତି ୩ ଜଣ । ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଏହି ଘଟଣାକୁ ନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖିଛନ୍ତି ସେଂଚୁରିଆନ୍ ୟୁନିଭର୍ସିଟିର ପୂର୍ବତନ ସିଏଫଓ ହିମାଂଶୁ କବି । କହିଛନ୍ତି ତାଙ୍କ ନାଁରେ ଆକ୍ରୋଶମୂଳକ ଭାବେ ଦିଆଯାଇଛି ଏତଲା ।

ହିମାଂଶୁଙ୍କ ଅଭିଯୋଗ

ସେଂଚୁରିଆନ୍ ୟୁନିଭର୍ସିଟିରେ ବଡ ଧରଣର ଜିଏସଟି ଜାଲିଆତି ହୋଇଛି ଏବଂ ସବୁ ଜାଲିଆତିର ପ୍ରମାଣ ରହିଛି ତାଙ୍କ ପାଖରେ
ଜିଏସଟି ଜାଲିଆତିକୁ ରଫାଦଫା କରିବାକୁ ହୋଟେଲରେ ଚାଲିଥିଲା ବୈଠକ
ସିବିଆଇ ଚଢାଉ ପରେ ଧରାପଡିଥିଲେ ୪ ଜଣ
୩ ଜଣ ଜିଏସଟି ଅଫିସର ଏବଂ ସେଂଚୁରିଆନର ଜଣେ କର୍ମଚାରୀ ଧରାପଡିଥିଲେ
ହିମାଂଶୁଙ୍କ ମୁହଁ ବନ୍ଦ କରିବାକୁ କରାଯାଇଥିଲା ଉଦ୍ୟମ
ସଂସ୍ଥାରୁ ବହିଷ୍କାର ପରେ ତାଙ୍କ ନାଁରେ ଦିଆଯାଇଛି ଏତଲା

ହିମାଂଶୁ କବି ସଂସ୍ଥାର ମାଲିକ ମୁକ୍ତିକାନ୍ତ ମିଶ୍ରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଜିଏସଟି ଠକେଇକୁ ଫାଙ୍କିବାକୁ ଲାଂଚ ଦେବାର ପୁରା ପ୍ଲଟ୍ ମୁକ୍ତିକାନ୍ତ ମିଶ୍ରଙ୍କର ବୋଲି ଇସାରା କରିଛନ୍ତି ହିମାଂଶୁ । କନକନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ ସେଂଚୁରିଆନ୍ ୟୁନିଭର୍ସିଟିରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସଟି ପୈଠ ବାବଦରେ ହୋଇଛି ଚଂଚକତା । ପୂର୍ବତନ ସିଏଫଓ ହିମାଂଶୁ କବିଙ୍କ ଅଭିଯୋଗ ଅନୁସାରେ ତଦନ୍ତକାରୀ ସଂସ୍ଥା ସଠିକ୍ ଭାବେ ତଦନ୍ତ କଲେ ସେଂଚୁରିଆନ୍ ୟୁନିଭର୍ସିରୁ ଆହୁରି ଅଧିକ ଜାଲିଆତି ସାମ୍ନାକୁ ଆସିବ ।