ଆଜି ମାଓବାଦୀଙ୍କ ବନ୍ଦ ଡାକରା । ଓଡ଼ିଶା, ଛତିଶଗଡ଼ରେ ୨୪ ଘଂଟିଆ ବନ୍ଦ ଡାକରା ଦେଲେ ଲାଲବାହିନୀ

36

କନକ ବ୍ୟୁରୋ: ଆଜି ମାଓବାଦୀଙ୍କ ବନ୍ଦ ଡାକରା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ବାଲିଗୁଡା, ଫୁଲବାଣୀ, ନୂଆପଡା ଓ ନବରଙ୍ଗପୁରରେ ଏହି ବନ୍ଦ ଡାକରା ଦିଆଯାଇଛି । ଓଡ଼ିଶା ଓ ପୂର୍ବ ଛତିଶଗଡ଼ରେ ସଂଗଠନ କାର୍ଯ୍ୟ କରୁଥିବା ବେଳେ ବନ୍ଦ ଡାକରାକୁ ସଫଳ କରିବାକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । ବିସ୍ଥାପନ, ଜଳ ଜମି ଜଙ୍ଗଲ, ପୁଲିସର ଦମନ ନୀତି, ଅପରେସନ ଗ୍ରୀନହଂଟକୁ ବିରୋଧ କରି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ବନ୍ଦ ଡାକରାକୁ ଆଖିରେ ରଖି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।

ଉଲ୍ଲେଖ ଥାଉ କି, ଲାଲ କରିଡରରେ ପୋଲିସ ସହ ଯୁଦ୍ଧ ବେଳେ ପ୍ରାଣ ହରାଇଥିବା ଏବଂ ଆହତ ଅବସ୍ଥାରେ ଥିବା ମାଓବାଦୀଙ୍କୁ କେମିତି ଉଦ୍ଧାର କରାଯିବ , ସେନେଇ ମାଓଗଡରେ ମକଡ୍ରିଲର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଯଦି ପୋଲିସ ସହ ଗୁଳି ବିନିମୟରେ ମାଓବାଦୀଙ୍କ ମୃତ୍ୟୁ ହୁଏ ତେବେ ଯେକୌଣସି ଉପାୟରେ ମୃତକ ଓ ଆହତଙ୍କୁ ନିଜ ଆଡକୁ ନେଇଯିବା ପାଇଁ ତାଲିମ ଦିଆଯାଇଛି ।ପୋଲିସ ସହ ଲଢେଇ ବେଳେ ପ୍ରାଣ ହରାଇଲେ କିମ୍ବା ଗୁରୁତର ଆହତ ହେଲେ ସାଥୀଙ୍କୁ କିଭଳି କରାଯିବ ଉଦ୍ଧାର, ସେନେଇ ମାଓ ଶିବିରରେ ଚାଲିଛି ଟ୍ରେନିଂ । ରାତିର ଅନ୍ଧାର ହେଉ ଅବା ଦିନ , ଅଳ୍ପ ସମୟ ମଧ୍ୟରେ ଘଂଚ ଜଙ୍ଗଲ ଭିତରେ ପାହାଡ ଡେଇଁ ନିଜ ସାଥୀଙ୍କୁ ବଞ୍ଚାଇବାର କୌଶଳ ଶିଖାଉଛନ୍ତି ମାଓ ନେତା । ମାଓଶିବିରରେ ଚାଲିଥିବା ଏହି ମକ୍ଡ୍ରିଲ୍ର ଭିଡିଓ ଏବେ ଭାଇରାଲ୍ ହୋଇଛି ।