ଆଜିଠୁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ : ୬ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଲକ୍ଷ୍ୟରେ ରାଜ୍ୟ ସରକାର; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

108

କନକ ବ୍ୟୁରୋ : ରାଜ୍ୟର ସବୁଠାରୁ ବଡ଼ ନିବେଶ ମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀର ତୃତୀୟ ସଂସ୍କରଣ ଆଜିଠୁ ଆରମ୍ଭ ହେବ । ଦେଶବିଦେଶର ଧନଶାଳୀ ଶିଳ୍ପପତିମାନଙ୍କୁ ନେଇ ଏହି ବହୁପ୍ରତୀକ୍ଷିତ ମହାସମାବେଶ ରାଜଧାନୀର ଜନତା ମଇଦାନରେ ଆରମ୍ଭ ହେବ । ରାଜଧାନୀ ଭୁବନେଶ୍ୱରରେ ଜମିବ ଦେଶ ବିଦେଶର ୧୦୦ରୁ ଅଧିକ ଶିଳ୍ପପତି ସମାଗମ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ ।

ତୃତୀୟ ସଂସ୍କରଣରେ ୬ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ । ୨୦୧୬ ଓ ୨୦୧୮ରେ ଅନୁଷ୍ଠିତ ସମ୍ମିଳନୀରେ ଆସିଥିବା ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ପ୍ରଥମ ସଂସ୍କରଣରେ ଓଡ଼ିଶାକୁ ୨ଲକ୍ଷ ୨୦ହଜାର କୋଟି ଏବଂ ଦ୍ୱିତୀୟ ସଂସ୍କରଣରେ ୪ଲକ୍ଷ ୨ହଜାର କୋଟିର ନିବେଶ ଆସିଥିଲା । କିନ୍ତୁ ଏଥର ନିବେଶରେ ଓଡ଼ିଶା ସାରା ଦେଶରେ ରେକର୍ଡ କରିବ ବୋଲି ରାଜ୍ୟ ସରକାର ଆଶା ବାନ୍ଧିଛନ୍ତି । ଚଳିତ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ପାଇଁ ଦୁବାଇ ଠାରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ, ଜାମନଗର ଓ କୋଏମ୍ବାଟୋରରୁ ନିବେଶକମାନଙ୍କୁ ଆମନ୍ତ୍ରଣ କରାଯାଇଛି ।

ମେକ୍ ଇନ୍ ଓଡ଼ିଶାରେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତି ଯଥା ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିୱାସ ମିତଲ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ ମଙ୍ଗଳମ ବିର୍ଲା, ଜେଏସଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସପିଏଲ ଅଧ୍ୟକ୍ଷ ନଦୀବ ଜିନ୍ଦଲ, ଟାଟା ଷ୍ଟିଲ ଏମଡି ତଥା ସିଇଓ ଟି.ଭି ନରେନ୍ଦ୍ରନ୍ ଆଦି ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଶିଳ୍ପସଂଘ ଫିକି ସହଯୋଗରେ ଜନତା ମଇଦାନରେ ଡିସେମ୍ବର ୪ ତାରିଖ ଯାଏଁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ଆୟୋଜନ କରାଯାଇଛି ।

ମେକ୍‌ ଇନ୍‌ ଓଡ଼ିଶା ୨୦୨୨ ପୂର୍ବରୁ ରାଜ୍ୟ ସରକାର ଦେଶବିଦେଶର ବିଭିନ୍ନ ସହରରେ ରୋଡ୍‌ସୋ’ ଆୟୋଜନ କରିଛନ୍ତି । ଦୁବାଇଠାରୁ ଆରମ୍ଭ କରି ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ, ଜାମନଗର ଏବଂ କୋଏମ୍ବାଟୋର ଆଦି ସ୍ଥାନରେ ରୋଡ୍‌ ସୋ’ କରାଯାଇ ନିବେଶମାନଙ୍କୁ ଆମନ୍ତ୍ରିତ କରାଯାଇଛି । ଜାପାନ, ନରୱେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଚୀନ ଏବଂ ଜର୍ମାନୀ ଆଦି ଦେଶର ନିବେଶକମାନେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସରକାର ଖଣିଜ ଏବଂ ଧାତବ, ପେଟ୍ରୋରସାୟନ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ଶକ୍ତି ଆଦିକୁ ଅଗ୍ରାଧିକାର କ୍ଷେତ୍ର ଭାବେ ବିବେଚନା କରିଛନ୍ତି । ଏଥିସହିତ ଯୁବଶକ୍ତିଙ୍କ ପାଇଁ ଆଇଟି ଭଳି କ୍ଷେତ୍ରରେ ନିବେଶ ଆକୃଷ୍ଟ ପାଇଁ ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ଯୋଗ ଦେଇଥିଲେ ।