ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି : ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ପରେ ସରକାର ଜାରି କରିପାରନ୍ତି ନୂଆ ନିର୍ଦ୍ଦେଶାନାମା

69

କନକ ବ୍ୟୁରୋ : ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି । ଗତ କିଛି ମାସ ଧରି ଲାଗୁ ହୋଇଥିବା ଜିରୋ କୋଭିଡ୍ ନୀତିକୁ ଜୋରଦାର ବିରୋଧ କରାଯାଇଥିଲା । ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ସରକାର କଟକଣା କୋହଳ କରିବା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିପାରନ୍ତି । ଗତ କିଛି ଦିନ ଧରି ବେଜିଂ ଓ ସାଂଘାଇ ସମେତ ଚୀନର ପ୍ରମୁଖ ସହରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନ ବେଳେ ଜନସାଧାରଣ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତପା ଦାବି କରିଥିଲେ ।

କୋଭିଡ୍ ନିୟମକୁ ତୁରନ୍ତ ହଟାଇବା ପାଇଁ ଦାବି କରାଯାଇଥିଲା । କଟକଣା ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ୁଛି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ବିକ୍ଷୋଭ ଯୋଗୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଦେଖାଦେଇଛି । ଜିନପିନଙ୍କ ଶାସନ ବେଳେ କେବେ ବି ଏତେ ବଡ଼ ବିକ୍ଷୋଭ ହୋଇନଥିଲା । କାରଣ ଜିନ୍ପିଙ୍ଗଙ୍କ ଏକଛତ୍ରବାଦ ଶାସନ ବିରୋଧରେ କେହି କେବେ ମୁହଁ ଖୋଲିବାକୁ ସାହସ କରୁନଥିଲେ । କିନ୍ତୁ ସାଧାରଣ ଲୋକଙ୍କ ଲଗାତର ବିରୋଧ ପରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କଟକଣା କୋହଳ କରିବା ଉପରେ ବିଚାର କରୁଥିବା କହିଛନ୍ତି ।