ପଞ୍ଜାବ ପରେ ଗୋଆ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କିଏ ସେହି ନେତା

107

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ଧିରେ ଧିରେ ନିଜର ସ୍ଥିତି ସୁଦୃଢ କରୁଛି ଆମ୍ ଆଦମୀ ପାର୍ଟି । ଅନ୍ୟ ରାଜନୈତିକ ଦଳମାନଙ୍କ ଭଳି ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ପରିଚାଳନା କରିବାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଉ ପାଦେ ଆଗକୁ ଯାଇଛନ୍ତି । ଗତକାଲି ପଞ୍ଜାବ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଭଗୱନ୍ତ ମାନଙ୍କ ନାମ ଘୋଷଣା କରିବା ପରେ ଆଜି ଗୋଆରେ ବି ଆପର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଆପ୍ ତରଫରୁ ଅମିତ୍ ପାଲେକରଙ୍କ ନାମ ଘୋଷଣା କରାଯାଇଛି । ଅମିତ ପାଲେକର ପେଶାରେ ଜଣେ ଓକିଲ ହୋଇଥିବା ବେଳେ ଗତବର୍ଷ ପ୍ରଥମଥର ପାଇଁ ରାଜନୀତିରେ ଯୋଗ ଦେବାକୁ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।

ଏନେଇ ଆପ୍ ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, “ଆଜିର ଦିନଟି ଗୋଆବାସୀଙ୍କ ପାଇଁ ବେସ୍ ମହତ୍ୱପୂର୍ଣ୍ଣ ଦିନ, ଗୋଆର ଭୋଟର ସରକାର ବଦଳାଇବାକୁ ମନସ୍ଥ କରିସାରିଛନ୍ତି । କିଛି ନେତା ଗୋଆକୁ ଦଖଲ କରିବାକୁ ଟଙ୍କା ମାଧ୍ୟମରେ କ୍ଷମତା ହାସଲ କରିବା ଓ ପରେ କ୍ଷମତା ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଯୋଜନା କରୁଛନ୍ତି । ଏହି ନେତାମାନଙ୍କୁ ଏଥର ଗୋଆବାସୀ ବୁଦ୍ଧି ଶିଖାଇବେ”

କହିରଖୁ କି ଗୋଆରେ ବିଧାନସଭା ନିର୍ବାଚନ ପୂର୍ବରୁ ଚଳିତ ଥର ଦୁଇଟି ରାଜନୈତିକ ଦଳ ସେଠାରେ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡିଛନ୍ତି । ପ୍ରଥମ ଥର ପାଇଁ ଆପ୍ ସେଠାରେ ନିର୍ବାଚନ ମୈଦାନକୁ ଉହ୍ଲାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବି ଗୋଆ ରାଜନୀତିରେ ପ୍ରବେଶ କରିଛି ।