ଘରୁ ବେଦଖଲ ହେବେ ବିଜୟ ମାଲ୍ୟା । ପୂର୍ବରୁ ପଳାତକ ଘୋଷିତ ହୋଇଥିଲେ ।

113

କନକ ବ୍ୟୁରୋ: କରଜରେ ବୁଡି ରହିଥିବା ବିଜୟ ମାଲ୍ୟାଙ୍କୁ ତ୍ରାହି ନାହିଁ । ଭାରତ ସରକାରଙ୍କୁ କୋଟି କୋଟି ଟଙ୍କା ଟ୍ୟାକ୍ସ ଠକିବା ଘଟଣାରେ ତାଙ୍କ ବିରୋଧରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ଲଣ୍ଡନରେ ଯାଇ ରହୁଥିଲେ ବି ସେଠାରେ ତାଙ୍କୁ ନିସ୍ତାର ନାହିଁ । ଲଣ୍ଡନ କୋର୍ଟ ତାଙ୍କୁ ପୂର୍ବରୁ ପଳାତକ ଘୋଷଣା କରିବା ପରେ ଏବେ ତାଙ୍କୁ ନିଜ ଘରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲଣ୍ଡନ ଅଦାଲତ ।

ପୂର୍ବରୁ ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ଏହା ବିରୋଧରେ କୋର୍ଟରେ ଆବେଦନ କରିଥିଲେ ବିଜୟ ମାଲ୍ୟା । ହେଲେ ଏହି ଆବେଦନକୁ ମଙ୍ଗଳବାର ଖାରଜ କରିଛନ୍ତି କୋର୍ଟ । ସ୍ୱିସ୍ ବ୍ୟାଙ୍କ ୟୁବିଏସ ସହ ମାଲ୍ୟାଙ୍କର ଲାଗିରହିଥିବା ଦୀର୍ଘ ଦିନର ବିବାଦକୁ ନେଇ ଏପରି କଠୋର ନିର୍ଦ୍ଦେଶ ଜାରି କରିଛନ୍ତି ଲଣ୍ଡନ କୋର୍ଟ ।ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ଲକଜୁରୀ ଆପାର୍ଟମେଣ୍ଟରେ ଥିବା ଆଲିଶାନ ଫ୍ଲାଟ୍‌ରେ ମାଲ୍ୟାଙ୍କ ୯୫ ବର୍ଷୀୟା ମା’ ଲଳିତା ରହୁଛନ୍ତି। ଏହାର ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି।

ମାଲ୍ୟାଙ୍କ ଉପରେ ସୁଇସ୍‌ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ହେଲେ ଏହାକୁ ଶୁଝିବା ପାଇଁ ତାଙ୍କୁ ଅଧିକ ସମୟ ଦେଇ ହେବ ନାହିଁ। ତେଣୁ ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରାଯାଇ ପାରିବ ବୋଲି କହିଛନ୍ତି ବିଚାରପତି।

ସୂଚନା ମୁତାବକ, କିଙ୍ଗଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉର୍ଦ୍ଧ୍ୱ ବ୍ୟାଙ୍କରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା। କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ। ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ। ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୨୦୧୭ ମେ’ ୯ରେ ଦୋଷୀ ଘୋଷଣା କରିଥିଲେ, କାରଣ ସେ ନିଜ ସମ୍ପତ୍ତିର ପୂରା ତାଲିକା କୋର୍ଟଙ୍କ ନିକଟରେ ଦାଖଲ କରି ନ ଥିଲେ।