କାବୁଲର ସଂସଦ ଭବନ ବାହାରେ ଆତଙ୍କୀ ହମଲା ! ବିସ୍ଫୋରଣରେ ୩୦ ମୃତ, ୮୦ ଆହତ

20

ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ପାର୍ଲାମେଂଟ୍ ହାଉସ ନିକଟରେ ଲଗାତର ଦୁଇଟି ବିସ୍ଫୋରଣରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୮୦ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପାଇଁ ତାଲିବାନ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି ।

ସଂସଦ ଭବନ ପରିସରରୁ କାର୍ଯ୍ୟ ସାରି କର୍ମଚାରୀ ମାନେ ଫେରିବା ସମୟରେ ଆକ୍ରମଣ ହୋଇଥିଲା । ପ୍ରଥମେ ଜଣେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରିବା ପରେ ପରେ ଅନ୍ୟ ଏକ କାର୍ ବୋମା ବିସ୍ଫୋରଣ ହୋଇଥିଲା । ଆକ୍ରମଣରେ ଆଫଗାନିସ୍ତାନ ଗୁଇନ୍ଦା ସଂସ୍ଥାର ଏକ ଗାଡିକୁ ଟାର୍ଗେଟ୍ କରାଯାଇଥିବା କହିଛି ତାଲିବାନ ।

କାବୁଲ ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ସଂସଦର କିଛି ଅଧିକାରୀ ଥିବା ବେଳେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କର ବି ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ସଂପୃକ୍ତ ସମସ୍ତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଫଗାନ୍ ରାଷ୍ଟ୍ରପତି ଅସରଫ ଗନି କହିଛନ୍ତି । ଏପଟେ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।