୨୦୨୫ରେ ହୋଇପାରେ ଭାରତ-ପାକିସ୍ତାନ ଯୁଦ୍ଧ । ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ୫୦ ଲକ୍ଷ ଲୋକଙ୍କ ଜୀବନ ଯିବ । ସାରା ବିଶ୍ୱ ହେବ ପ୍ରଭାବିତ, ଚାରିଆଡେ ହେବ ବରଫପାତ ।

734

କନକ ବ୍ୟୁରୋ : ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ଚ ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୨୫ ବେଳକୁ ଭାରତ-ପାକିସ୍ତାନ ବିବାଦ ଚରମ ସୀମାରେ ପହଂଚିବ । ଆଉ ଏହି ବିବାଦ ଏତେ ତୀବ୍ର ହୋଇଥିବ ଯେ, ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେବ । ଆଉ କୁହାଯାଇଛି ୨୦୨୫ରେ ହୋଇପାରେ ଭାରତ-ପାକିସ୍ତାନ ଯୁଦ୍ଧ ।

୬ ଅଗଷ୍ଟ ୧୯୪୫ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ସହରରେ ପ୍ରଥମ ପରମାଣୁ ବୋମା ପକାଇଥିଲା ଆମେରିକା । ପୁଣି ୯ ଅଗଷ୍ଟରେ ନାଗାସାକି ସହର ଉପରେ ପରମାଣୁ ବୋମା ପକାଇଲା । ବିଶ୍ୱ ଇତିହାସରେ ଏହି ସବୁଠାରୁ ବଡ ଆକ୍ରମଣରେ ୮ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟର ଏହି ରିସର୍ଚ୍ଚ ରିପୋର୍ଟରେ ଦାବି କରାଯାଇଛି, ୨୦୨୫ ବେଳକୁ ଭାରତ-ପାକିସ୍ତାନ ବିବାଦ ଚରମ ସୀମାରେ ପହଂଚିବ । ଆଉ ଏହି ବିବାଦ ଏତେ ତୀବ୍ର ହୋଇଥିବ ଯେ, ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେବ ।

ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ନେବାପରେ ବିଚଳିତ ହୋଇପଡିଛି ପାକିସ୍ତାନ । ଭାରତ ବିରୋଧରେ ବାରମ୍ବାର ଯୁଦ୍ଧ ଧମକ ଦେଉଛି । ଏପରିକି ଜାତିସଂଘ ସାଧାରଣ ପରିଷଦରେ ମଧ୍ୟ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ବିଶ୍ୱ ମଂଚରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ଧମକ ଅନ୍ତର୍ଜାତୀୟ ସମୁଦାୟକୁ ଭାରତ-ପାକିସ୍ତାନ ବିବାଦ ଉପରେ ନଜର ରଖିବାକୁ ବାଧ୍ୟ କରିଛି । ଏବଂ ଏହିଭଳି ରିସର୍ଚ୍ଚ ସବୁ ସାମ୍ନାକୁ ଆସୁଛି । ରିପୋର୍ଟରେ ଏଭଳି ଆଶଙ୍କା କରାଯାଇଛି ଯେ,

– ଜାମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନୀ ଆତଙ୍କବାଦୀ ଭାରତ ଉପରେ ଆକ୍ରମଣକୁ ଜୋରଦାର କରିବେ
– ଭାରତର ସଂସଦକୁ ମଧ୍ୟ ଉଡାଇ ଦେବା ପାଇଁ ଷଡଯନ୍ତ୍ର କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ
– ୨୦୨୫ ବେଳକୁ ଭାରତ-ପାକିସ୍ତାନ ଭିତରେ ତିକ୍ତତା ଚରମ ସୀମାରେ ପହଂଚି ଯାଇପାରେ
– ଏହାର କଡା ଜବାବ ଦେବା ପାଇଁ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ପହଂଚିଯିବ
– ଏବଂ ଏହି ଲଢେଇ ଦୁଇଦେଶ ଭିତରେ ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେବାରେ ସନ୍ଦେହ ନାହିଁ

ରିପୋର୍ଟରେ, ଗତ ଫେବ୍ରୁଆରୀରେ ଦୁଇଦେଶ ଭିତରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ମଧ୍ୟ କୁହାଯାଇଛି । ପାକିସ୍ତାନର ବାଲାକୋଟରେ ପଶି ଭାରତୀୟ ସେନା ଆକ୍ରମଣ କରିବା ପରେ, ପାକିସ୍ତାନୀ ଯୁଦ୍ଧ ବିମାନ କିଭଳି ଭାରତର ସୀମା ଡେଇଁବାକୁ ଉଦ୍ୟମ କରିଥିଲା ସେ କଥା ଉଲ୍ଲେଖ ରହିଛି ।

ଦୁଇ ଦେଶ ଭିତରେ ପରମାଣୁ ଯୁଦ୍ଧ ହେଲେ କିଭଳି ସାଂଘାତିକ ପରିଣାମ ହେବ ସେନେଇ ମଧ୍ୟ ରିପୋର୍ଟରେ ଚେତାଇ ଦିଆଯାଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଆମେରିକାର ପରମାଣୁ ବୋମା ଆକ୍ରମଣରେ ପ୍ରାୟ ୮ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା । ହେଲେ ଭାରତ-ପାକିସ୍ତାନ ଯୁଦ୍ଧ ହେଲେ ଏହି ସଂଖ୍ୟା ୧୨ କୋଟି ପାର କରିଯିବ ବୋଲି ଆଶଙ୍କା କରାଯାଇଛି । କାରଣ ଏବେ ଦୁଇ ଦେଶ ନିକଟରେ ଛୋଟ ବଡ ପ୍ରାୟ ଦେଢଶହ ପରମାଣୁ ବୋମା ଥିବା ରିପୋର୍ଟରେ କୁହାଯାଇଛି । କିନ୍ତୁ ୨୦୨୫ ବେଳକୁ ଏହି ସଂଖ୍ୟା ୪୦୦ରୁ ୫୦୦ ପାର କରିଯିବ । ଆଉ ପରିବେଶ ଉପରେ ପରମାଣୁ ଯୁଦ୍ଧାସ୍ତ୍ରର କିଭଳି ପ୍ରଭାବ ରହିବ ତାର ଭୟାବହତା ବାବଦରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ପରମାଣୁ ବୋମା ପ୍ରୟୋଗ ହେଲେ କେବଳ ଲୋକ ମରିବେ ନାହିଁ, ରେଡିଏସନ ଫଳରେ ଗଛପତ୍ର ସବୁ ପୋଡି ପାଉଁଶ ହୋଇଯିବ । ବାୟୁମଣ୍ଡଳରେ ଏତେ ଅଙ୍ଗାରକାମ୍ଳ ଭରିଯିବ ଯେ, ପୃଥିବୀ ପୃଷ୍ଠରେ ସୂର୍ଯ୍ୟକିରଣ ପହଂଚି ପାରିବନି । ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟିହେବ, ଖାଇବା ପିଇବାକୁ ମିଳିବନି ଏପରିକି ବର୍ଷବର୍ଷ ଧରି ମହାମାରୀ ବ୍ୟାପିିବ ।