ପ୍ରହସନ ପାଲଟିଲା ପ୍ରକଳ୍ପ : କାଗଜ କଲମରେ ଚାଲିଛି ମାଲକାନଗିରିରେ ପାଇପ ୱାଟର ପ୍ରୋଜେକ୍ଟ

61

ମାଲକାନଗିରି : କାଗଜ କଲମରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ । ରାଜ୍ୟରେ ପାନୀୟ ଜଳ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହୁଛନ୍ତି, ସ୍ଥିତି ସନ୍ତୋଷ ଜନକ । ତେବେ ମାଲକାନଗିରିରେ କିନ୍ତୁ ସ୍ଥିତି ଅଲଗା । ଜିଲ୍ଲାରେ ୩ ଶହରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ସେଗୁଡିକ ଚାଲିଛି କେବଳ କାଗଜ କଲମରେ । ଅଚଳ ହୋଇପଡିଛି କୋଟି କୋଟି ଟଂକାର ପ୍ରକଳ୍ପ ।

୨୦୧୪ରେ ପ୍ରାୟ ୬୦ ଲକ୍ଷ ବ୍ୟୟରେ ତିଆରି ହୋଇଥିଲା ଗୌଡଗୁଡା ପ୍ରକଳ୍ପ । ତେବେ ନିର୍ମାଣର ୪ ମାସ ପରେ ଅଚଳ ହୋଇପଡିଛି ପ୍ରକଳ୍ପ । ସରକାରୀ ରିପୋର୍ଟରେ କିନ୍ତୁ ଦର୍ଶାଯାଇଛି ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ । ସେପଟେ କିନ୍ତୁ ଏହି ଅଂଚଳରେ ପାଣି ବାଲଟିଏ ପାଇଁ ଚାଲିଛି ସଂଘର୍ଷ । ହାଣ୍ଡି ମାଠିଆ ଧରି ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି । ଗାଁର ୪ଶହ ପରିବାରର ଶୋଷ ମେଂଟାଉଛି ଗୋଟିଏ ନଳକୂପ ।

ସେହିପରି ମାଲକାନଗିରିର ତଣ୍ଡାପାଲି । ସରକାରୀ ରିପୋର୍ଟରେ ଏହା କାର୍ଯ୍ୟକ୍ଷମ । ହେଲେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ଟ୍ୟାଙ୍କ ତିଆରି ହୋଇଛି । ତଳେ ପାଇପ ବି ଲାଗିଛି । ହେଲେ ପାଣି ନାହିଁ । ପ୍ରକଳ୍ପ ପାଇଁ ବଜେଟ୍ ରହିଛି ପ୍ରାୟ ୮୦ ଲକ୍ଷ ଟଂକା । ହେଲେ ବର୍ଷ ବର୍ଷ ସମ୍ପୂର୍ଣ୍ଣ ହୋଇପାରୁନି କାମ । ପାଣି ପାଇଁ ଏଠି ଲୋକଙ୍କ ଭରସା ସାଜିଛି ଚୂଆ । ପୋଖରୀର ଦୂଷିତ ପାଣି ବି ପିଉଛନ୍ତି ଲୋକେ ।

ତାଲିକାରେ ଉଲ୍ଲେଖ ରହିଛି, ୩୦୯ ପ୍ରକଳ୍ପରୁ ମାତ୍ର ୧୩ ଟି କାମ କରୁନି । ବାକି ସବୁ ସମ୍ପୂର୍ଣ୍ଣ ଓ ଆଂଶିକ କାର୍ଯ୍ୟକ୍ଷମ । ସେପଟେ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ପ୍ରତି ପଂଚାୟତ ପିଛା ୨୦ରୁ ୨୫ ଲକ୍ଷ ଟଂକା ମଂଜୁର ହୋଇଛି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା ।