ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ : ଯୁବକଙ୍କୁ ରାତିତମାମ ବାନ୍ଧି ରଖିଲେ ଗାଁଲୋକ

30

ଦେବଗଡ : ରାତିତମାମ ଗାଁ ମଣ୍ଡପରେ ହାତ, ଗୋଡ ବନ୍ଧା ହୋଇ ରହିଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ଦେବଗଡ ଜିଲ୍ଲା ଗୋହିଡା ଗାଁ ରେ । ଅଭିଯୋଗ ଅନୁସାରେ, ପୂର୍ବରୁ ଗାଁର ମାଧବ ନାୟକଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଅଭିଯୁକ୍ତ ପ୍ରଦୀପ କିଶାନ। ତେବେ ତାଙ୍କୁ ଧରିବାକୁ ଉଦ୍ୟମ କଲାବେଳେ ଡିଆଁମାରି ଚମ୍ପଟ ହୋଇଯାଇଥିଲେ ସେ । ଗତକାଲି ପୁଣି ଗାଁରେ ଆଉଜଣେ ବ୍ୟକ୍ତିଙ୍କ ଘରେ ପଶି ସମାନ ଉଦ୍ୟମ କରିଥିଲେ ପ୍ରଦୀପ । ଗାଁର ପ୍ରଦୀପ କୁମାରଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କଲାବେଳେ ସେ ଖୁବ ଜୋରରେ ସେ ପାଟି କରିଥିଲେ । ଏଥିରେ ଗ୍ରାମବାସୀ ସତର୍କ ହୋଇଯାଇଥିଲେ ଓ ପ୍ରଦୀପଙ୍କୁ କାବୁ କରି ଗାଁ ମଣ୍ଡପରେ ବାନ୍ଧି ଦେଇଥିଲେ । ଖଇରାପାଲୀ ଫାଣ୍ଡି ଅଧିକାରୀଙ୍କୁ ଏନେଇ ଖବର ଦେବାପରେ ମଧ୍ୟ ପୋଲିସ ଗାଁରେ ପହଂଚିନଥିଲା । ଫଳରେ ରାତିସାରା ସେମିତି ପ୍ରଦୀପଙ୍କୁ ଗାଁ ମଣ୍ଡପ ଖୁଂଟିରେ ବାନ୍ଧି ରଖିଥିଲେ ଗ୍ରାମବାସୀ । ଆଜି ସାକଳୁ ପୋଲିସ ପହଂଚି ତାଙ୍କୁ ଉଦ୍ଧାର କରିଥିଲା । ତା ନିକଟରେ ଏକ ଛୁରା ଥିବା ମଧ୍ୟ ଗାଁଲୋକେ ଅଭିଯୋଗ କରିଛନ୍ତି ।