ଭୋଟ ଦିନ ଆଉ ହେବନାହିଁ ଗଣତି : ବୁଥରେ ମତ ଗଣନା ପରିବର୍ତ୍ତେ ବ୍ଲକ ମୁଖ୍ୟାଳୟରେ ଗୋଟିଏ ଦିନରେ ଗଣତି ପାଇଁ ଚିଠା ନିୟମ ପ୍ରସ୍ତୁତ

258

କନକ ବ୍ୟୁରୋ : ବଦଳିବ ପଂଚାୟତ ନିର୍ବାଚନର ଢାଞ୍ଚା । ଏ ନେଇ ନୂଆ ସଂସ୍କାର ଆଣୁଛି ପଂଚାୟତରାଜ ବିଭାଗ । ପୂର୍ବ ଭଳି ନିର୍ବାଚନ ଦିନ ଘୋଷଣା ହେବନି ନିର୍ବାଚନର ଫଳାପଳ । ନିର୍ବାଚନର ସମସ୍ତ ପର୍ଯ୍ୟାୟ ସରିବା ପରେ ଚୂଡାନ୍ତ ହୋଇଥିବା ତାରିଖ ଦିନ ହିଁ ପ୍ରକାଶ ପାଇବ ରେଜଲ୍ଟ । ଯେହେତୁ ପଂଚାୟତ ନିର୍ବାଚନ ବହୁ ପର୍ଯ୍ୟାୟରେ ହୋଇଥାଏ, ତେଣୁ ସେହି ଦିନର ରେଜଲ୍ଟ ଅନେକ ମାତ୍ରାରେ ପରବର୍ତ୍ତୀ ପର୍ଯ୍ୟାୟ ଉପରେ ପ୍ରଭାବ ପକାଇଥାଏ । ଏପରିକି ମତଦାନ କେନ୍ଦ୍ରରେ ହେବନି ଗଣନା ।

ବ୍ଲକ ସ୍ତରରେ କାଉଂଟି ସେଂଟରରେ ହେବ ଭୋଟ ଗଣତି । ବିଭାଗୀୟ ଶାସନ ସଚିବ ଅଶୋକ ମୀନା ଦର୍ଶାଇଛନ୍ତି ଯେ ଓଡିଶା ପଂଚାୟତ ନିର୍ବାଚନ ନିୟମ ୨୦୨୧ ଅନୁଯାୟୀ ଭୋଟ ଗଣତି ସମୟରେ କୌଣସି ସ୍ଥିତି ସଂପର୍କରେ ବା ଫଳ ସଂପର୍କରେ ତଥ୍ୟ ବାହାରକୁ ପ୍ରକାଶ କରାଯିବନି । ପୂର୍ବରୁ ବୁଥ ପ୍ରିଜାଇଡିଂ ଅଫିସରେମାନେ କିଏ କେତେ ଭୋଟ ବ୍ୟବଧାନରେ ଆଗେଇଲେ ସେନେଇ ଅବଗତ କରାଇ ଦେଉଥିଲେ । ଯାହା ଅନ୍ୟ ଭୋଟ କେନ୍ଦ୍ର ଉପରେ ପ୍ରଭାବ ପକାଇବା ସହିତ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିଲା । ତେଣୁ ସବୁ ଦିଗକୁ ତର୍ଜମା କରି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଉଛି ।

ଏହି ବିଜ୍ଞପ୍ତିରେ କୁହାଯାଇଛି ଭୋଟ ସରିବା ପରେ ଭୋଟ ବାକ୍ସକୁ ଜଉମୁଦ ଲଗାଇ ବ୍ଲକ ହେଡ କ୍ୱାର୍ଟରରେ ସୁରକ୍ଷିତ ଅବସ୍ଥାରେ ରଖାଯିବ । ଆଉ ଚୂଡାନ୍ତ ହୋଇଥିବା ତାରିଖ ଦିନ ପ୍ରକାଶ ପାଇବ ଫଳାପଳ । ଗତ ୨୦୧୭ ପଂଚାୟତ ନିର୍ବାଚନରେ ଏଭଳି କିଛି ବିବାଦ ସାମ୍ନାକୁ ଆସିଥିଲା । ସେତେବେଳେ କିଛି ରାଜନେତିକ ଦଳ ଭୋଟ ଦିନ କାଉଁଟିଂକୁ ମଧ୍ୟ ବିରୋଧ କରିଥିଲେ ।