ଜାଇଡସ କାଡିଲାର ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି : ୧୨ବର୍ଷରୁ ଅଧିକ ସମସ୍ତେ ନେଇପାରିବେ ଟିକା

71

କନକ ବ୍ୟୁରୋ : ଜାଇଡସ୍ କାଡିଲାର କରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି । ୩ ଡୋଜର ଏହି ଟିକାକୁ ଜାଇକୋଭ୍-ଡି ନାଁରେ ବିକଶିତ କରିଛି ଫାର୍ମା କଂପାନୀ ଜାଇଡସ୍ କାଡିଲା । କୋଭାକ୍ସିନ୍ ପରେ ଭାରତର ଦ୍ୱିତୀୟ ଦେଶୀ ଟିକା ଭାବେ ଆସିବ ଜାଇକୋଭ୍-ଡି । ଷଷ୍ଠ ଟିକା ଭାବେ ଦେଶରେ ଜରୁରୀ ବ୍ୟବହାର ପାଇଁ ଏହାକୁ ଅନୁମତି ମିଳିଛି ।

ସବୁଠୁ ବଡ଼ କଥା ହେଉଛି, ୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କ ପାଇଁ ଏହା ହେବ ଦେଶର ପ୍ରଥମ କରୋନା ଟିକା । ଏହାଛଡ଼ା ଏହା ଏକ ଛୁଂଚିବିହୀନ ଟିକା । ଅର୍ଥାତ ଟିକା ଦେବା ବେଳେ ଛୁଂଚିର ଆବଶ୍ୟକତା ହେବନାହିଁ । ଜରୁରୀ ବ୍ୟବହାର ପାଇଁ ଜୁଲାଇ ୧ ରେ ଆବେଦନ କରିଥିଲା ଅହମ୍ମଦାବାଦ ସ୍ଥିତ କାଡିଲା ହେଲ୍ଥ କେୟାର ଲିମିଟେଡ୍ । ୫୦ଟି କେନ୍ଦ୍ରରେ ୨୭ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରିଥିଲେ ଜାଇଡସ୍ କାଡିଲା । ପରୀକ୍ଷଣରେ ମଧ୍ୟ ସାମିଲ ହୋଇଥିଲେ ୧୨ରୁ ୧୮ ବର୍ଷ ବୟସର ଏକ ହଜାର ପିଲା । ଟିକା ୬୬.୬ ପ୍ରତିଶତ ପ୍ରଭାବୀ ବୋଲି ଦାବି କରିଛି କଂପାନୀ ।

ପୂର୍ବରୁ କଂପାନୀ ପକ୍ଷରୁ କୁହାଯାଇଥିଲା, ଦୁଇ ଡୋଜ୍ ଓ ତିନି ଡୋଜ୍ ଟିକା ଉଭୟ କରୋନା ବିରୋଧରେ କାମ କରିବ । ଜାଇକୋଭ-ଡି ହେଉଛି ବିଶ୍ୱର ପ୍ରଥମ ଡିଏନ୍ଏ କୋଭିଡ୍ ଟିକା । ଏଥିରେ ସୃଷ୍ଟି ହେଉଥିବା ପ୍ରୋଟିନ୍ ସ୍ପାଇକ୍ କରୋନା ଭୂତାଣୁ ବିରୋଧରେ କାମ କରିବ । ଏଥିରେ ଛୁଂଚି ଆବଶ୍ୟକ ହେଉନଥିବାରୁ ପାଶ୍ୱର୍ ପ୍ରତିକ୍ରିୟା କମ୍ ରହିବ ବୋଲି କୁହାଯାଇଛି । କୋଭିସିଲ୍ଡ, କୋଭାକ୍ସିନ୍, ସ୍ପୁଟନିକ୍ ଭି, ମଡେର୍ନା, ଜନସନ୍ ଆଣ୍ଡ ଜନ୍ସନ ପରେ ଜାଇକୋଭ-ଡି ହେଉଛି ଷଷ୍ଠ ଟିକା ଯାହାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି ।