ଭାରତ ଯୋଡ ଯାତ୍ରାରେ ଲାଗିଲା ସାମୟିକ ବିରତି । ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା ସାଂସଦ ସନ୍ତୋଖ ସିଂଙ୍କ ଦେହାନ୍ତ ।

214

କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରାରେ ଲାଗିଲା ସାମୟିକ ବିରତି । ଏହି ଯାତ୍ରା ସମୟରେ ରାହୁଲଙ୍କ ସହ ଚାଲୁଥିବା ବେଳେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ଦେହ ଭୀଷଣ ଅସୁସ୍ଥ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଆଉ ସନ୍ତୋଖଙ୍କ ଦେହାନ୍ତ କାରଣରୁ ଭାରତ ଯୋଡ ଯାତ୍ରାରେ ସାମୟିକ ରୋକ ଲାଗିଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସ ସଭାପତି । ସନ୍ତୋଖ ସିଂଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହେବା ପରେ ଭାରତ ଯୋଡ ଯାତ୍ରା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ । ତେବେ ସନ୍ତୋଖଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ କହିଛନ୍ତି, ସନ୍ତୋଖ ସିଂଙ୍କ ଦେହାନ୍ତ ଖବର ମୋତେ ସ୍ତବ୍ଧ କରି ଦେଇଛି । କଂଗ୍ରେସର ଶକ୍ତିଶାଳୀ ସ୍ତମ୍ଭ ଥିଲେ ସନ୍ତୋଖ । ପରିଶ୍ରମୀ ନେତା ଭାବେ ଜଣାଶୁଣା ସନ୍ତୋଖ ଯୁବ କଂଗ୍ରେସରୁ ନିଜର ଯାତ୍ରା ଆରମ୍ଭ କରି ସାଂସଦ ଭାବେ ନିଜର ଜୀବନ ଜନସାଧାରଣଙ୍କ ପାଇଁ ସମର୍ପିତ କରିଥିଲେ । ଏହି ଦୁଃଖଦ ସମୟରେ ସନ୍ତୋଖଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାହୁଲ । ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡଗେ କହିଛନ୍ତି, ସନ୍ତୋଖଙ୍କ ମୃତ୍ୟୁରେ ପୂରା କଂଗ୍ରେସ ପରିବାର ମର୍ମାହତ । ତାଙ୍କର ଦେହାନ୍ତ ଉଭୟ ଦଳ ଓ ସଙ୍ଗଠନ ପାଇଁ ବଡ କ୍ଷତି ।

ସନ୍ତୋଖ ସିଂ ପଞ୍ଜାବ ସରକାରରେ ମନ୍ତ୍ରୀ ରହି ସାରିଛନ୍ତି । ଏହାସହ ଜଳନ୍ଧର ଲୋକସଭା ଆସନରୁ ମଧ୍ୟ ସାଂସଦ ରହିଛନ୍ତି । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସନ୍ତୋଖ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପଞ୍ଜାବର ହେଭିୱେଟ ନେତାଙ୍କ ମଧ୍ୟରେ ସନ୍ତୋଖ ଅନ୍ୟତମ ଥିଲେ ।