ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା । ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

87

କନକ ବ୍ୟୁରୋ : ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ବାତ୍ୟା ପୁନରୁଦ୍ଧାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଘରଭଙ୍ଗା କ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।  ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ସହ ପାନୀୟ ଜଳ ଓ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ଏହାବାଦ୍ ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ଜନତାଙ୍କ ସହଯୋଗରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ  ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି  ପୁଣି ପ୍ରମାଣିତ ହୋଇଥିବା କହିଛନ୍ତି ନବୀନ । ଏହାବାଦ୍ ୟାସ୍ ପରିଚାଳନାରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କୁ ପ୍ରଂଶସା କରିଛନ୍ତି । ସେହିଭଳି ସହଯୋଗ ପାଇଁ କେନ୍ଦ୍ର ସରକାର ଏବଂ ଏନଡିଆରଏଫ ଓ ଆଇଏମଡି ଭଳି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଆଜି ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ନବୀନ ।