ଚିକିତ୍ସା ବିଜ୍ଞାନ ସ୍ତମ୍ଭିଭୂତ । କରୋନା ନେଗେଟିଭ ଥିବା ମା’ ପେଟରୁ ଜନ୍ମ ନେଲା କରୋନା ପଜିଟିଭ୍ ସନ୍ତାନ ।

286

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଯେତେ ଅଧିକ ଲୋକଙ୍କ ଜୀବନ ନେଉଛି ତା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟାଉଛି । ଏବେ ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ବାରଣାସୀର କାଶୀ ହିନ୍ଦୁ ବିବି ଠାରେ ଥିବା ସୁନ୍ଦର ଲାଲ ହସ୍ପିଟାଲରେ । ହସ୍ପିଟାଲରେ ଡେଲିଭରୀ ପାଇଁ ଆଡମିଶନ ହୋଇଥିବା ଜଣେ ମହିଳାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ତାଙ୍କ ଗର୍ଭରୁ ଜନ୍ମ ନେଇଥିବା ଶିଶୁ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏଭଳି ମାମଲାକୁ ଚିକିତ୍ସା ବିଜ୍ଞାନରେ ଦୁର୍ଲ୍ଲଭ ବୋଲି କୁହାଯାଇଛି । ହେଲେ ବିଏଚୟୁ ହସ୍ପିଟାଲର ଚିକିତ୍ସା ଅଧିକ୍ଷକ କିନ୍ତୁ ଏହାକୁ ମାନିବାକୁ ନାରାଜ । ସେ ଶିଶୁ ଓ ମା ଉଭୟଙ୍କର ପୁଣିଥରେ ଆରଟିପିସିଆର ଟେଷ୍ଟ କରିବାକୁ କହିଛନ୍ତି ।
କହିରଖୁ କି ବାରଣାସୀ ଅଞ୍ଚଳର ଏକ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଅନିଲ କୁମାରଙ୍କ ୨୬ ବର୍ଷିୟ ଗର୍ଭବତୀ ପତ୍ନୀଙ୍କ ଚିକିତ୍ସା ପ୍ରଥମେ ବିଏଚୟୁ ରେ ଚାଲିଥିଲା । ଚଳିତ ମାସ ୨୫ ତାରିଖରେ ତାଙ୍କର ଡେଲିଭରୀ ହେବ ବୋଲି ମେଡିକାଲ ପକ୍ଷରୁ ତାରିଖ ଦିଆଯାଇଥିଲା । ହେଲେ ଡେଲିଭରି ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଅନୀଲଙ୍କ କହିବା ମୁତାବକ କୋଭିଡ ଟେଷ୍ଟରେ ତାଙ୍କ ପତ୍ନୀଙ୍କ ରିପୋଟ ର୍ ନେଗେଟିଭ ଆସିଥିଲା । ଏହାପରେ ମେ ୨୫ ତାରିଖ ଦିନ ଅପରେଶନ ମାଧ୍ୟମରେ ଅନିଲଙ୍କ ସ୍ତ୍ରୀ ପିଲା ଜନ୍ମ କରିଥିଲା । ଏହାପରେ ମେଡିକାଲ କର୍ମଚାରୀଙ୍କ ପକ୍ଷରୁ ଶିଶୁଟିର ସାମ୍ପୁଲ ନେଇ କୋଭିଡ ଟେଷ୍ଟ କରାଯାଇଥିଲା । ରାତିରେ ଆସିଥିବା ରିପୋର୍ଟ ଦେଖି ଡାକ୍ତର ଠାରୁ ମେଡିକାଲ କର୍ମଚାରୀ ମାନେ ସ୍ତମ୍ଭିଭୂତ ହୋଇଯାଇଥିଲେ । କାରଣ ଶିଶୁଟିର ସାମ୍ପୁଲ ଟେଷ୍ଟରେ ଶିଶୁଟି ଦେହରେ କରୋନା ଭୂତାଣୁ ଥିବା ଜଣାପଡିଥିଲା । ଏନେଇ ଶିଶୁଟିର ପିତା ଅନୀଲ କୁମାର କହିଛନ୍ତି କି ବୋଧହୁଏ ଟେଷ୍ଟ ଠିକ୍ ଭାବେ ହୋଇନାହିଁ ।
ସୂଚନା ଥାଉକି ଏହା ପୂର୍ବରୁ କରୋନା ସଂକ୍ରମଣକୁ ନେଇ ଅନେକ ଅଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କେତକ କ୍ଷେତ୍ରରେ ରିପୋର୍ଟ ନେଗେଟିଭ୍ ଆସୁଥିଲେ ବି ରୋଗୀ ଶରୀରରେ କରୋନା ଭଳି ଲକ୍ଷଣ ଦେଖା ଯାଉଛି । କିଛି ଲୋକଙ୍କ ଠାରେ ସଂକ୍ରମଣ ଚିହ୍ନଟ କରିବାକୁ ସିଟି ସ୍କାନ କରିବାକୁ ପଡୁଛି । କରୋନା ମହାମାରୀର ଦ୍ୱିତୀୟ ଲହରରେ କରୋନାର ଲକ୍ଷଣ ବଦଳୁଥିବା ବେଳେ ଚିକିତ୍ସା ପଦ୍ଧତି ବି ବଦଳିବାରେ ଲାଗିଛି ।