ଜୁନ୍ ଦ୍ୱିତୀୟ ସପ୍ତାହରେ ଭାରତରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା । ଆପୋଲ ହସ୍ପିଟାଲ ମାଧ୍ୟମରେ ଟିକାକରଣ ପାଇଁ ନିଷ୍ପତ୍ତି

633

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଏବେ ଭାରତରେ ପୁଣି ଏକ ଭ୍ୟାକ୍ସିନ ଉପଲବ୍ଧ ହେବ । ଋଷ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ ଟିକା ସ୍ପୁଟନିକ୍ – ଭି ଭାରତରେ ଜୁନ୍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ ବୋଲି କୁହାଯାଇଛି । ଆରମ୍ଭରୁ ଏହି ଭ୍ୟାକ୍ସିନ ଆପୋଲ ହସ୍ପିଟାଲ ମାଧ୍ୟମରେ ଉପଲବ୍ଧ ହେବ ବୋଲି ଆପୋଲ ହସ୍ପିଟାଲର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶୋଭନା କମିନେନୀ ସୂଚନା ଦେଇଛନ୍ତି ।

ଆପଣଙ୍କୁ କହିରଖୁ କି ଏବେ ଭାରତରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନକୁ ଟିକାକରଣରେ ସାମିଲ କରାଯାଇଛି । ଏହାସହ ଏବେ ଋଷ ଦ୍ୱାରା ପ୍ରସ୍ତୁତ ଟିକା ସ୍ପୁଟନିକ୍ –ଭି ଭାରତ ଆମଦାନୀ କରିବା ସହ ଏହାକୁ ଭାରତରେ ଉତ୍ପାଦନ ପାଇଁ ପ୍ରସ୍ତୁତ ଚାଲିଛି ।

କହିରଖୁ କି ସ୍ପୁଟନିକ୍ –ଭି ଟିକା ପ୍ରଥମେ ଘରୋଇ ସେକ୍ଟରକୁ ମିଳିବ । କୋଭିଡ ବ୍ରେକିଂ ଗ୍ରୁପର ଚେୟାରମ୍ୟାନ ଏନକେ ଆରୋରା ଏନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏହି ଟିକାକୁ ପ୍ରଥମେ ଘରୋଇ ସେକ୍ଟରକୁ ଦେବାର ଆବଶ୍ୟକତା ରହିଛି । ଏହାସହ ଏହି ଟିକାକୁ ଗୋଟିଏ ନିର୍ଦ୍ଧିଷ୍ଟ ତାପମାତ୍ରାରେ ସଂରକ୍ଷିତ କରାଯିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଆଗାମୀ ୩ ସପ୍ତାହ ମଧ୍ୟରେ ଦେଶକୁ ୩ ଗୁଣା ଟିକା ମିଳିବ ।

ଅନ୍ୟପଟେ ସ୍ପୁଟନିକ –ଭି ଟିକା ଆମଦାନୀ ନେଇ କମ୍ପାନୀ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଛି । ହେଲେ କେତେ ପରିମାଣର ଟିକା ମିଳିବ ସେ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରି ନାହାନ୍ତି ।