ଚିଲିକା ଡଙ୍ଗାବୁଡି ଘଟଣାର ଆସିଲା ରିପୋର୍ଟ : ପ୍ରବଳ ପବନ ଯୋଗୁଁ ଓଲଟିଥିଲା ଡଙ୍ଗା, ସୂଚନା ଦେଲେ ପରିବହନ ସଚିବ

40

କନକ ବ୍ୟୁରୋ : ପ୍ରବଳ ପବନ ଯୋଗୁଁ ବୁଡ଼ି ଗଲା ଡଙ୍ଗା । ଚିଲିକା ଡଙ୍ଗା ବୁଡି ଘଟଣାରେ ଏହା ହେଉଛି ତଦନ୍ତ ରିପୋର୍ଟର ସାର କଥା । ତଦନ୍ତ ନିର୍ଦ୍ଦେଶ ଦେବାର ମାତ୍ର ୫ ଦିନ ଭିତରେ ଆସିଛି ଏହି ରିପୋର୍ଟ । ଆଉ ରିପୋର୍ଟ ଆଧାରରେ ଅଧିକ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସନ ।

ଅଚାନକ୍ ମାଡି ଆସିଲା ଝଡ ତୋଫାନ୍ । ଆଉ ଏହାରି ଭିତରେ ମଝି ଦରିଆରେ ଫଶି ରଖିଥିବା ଲୋକଙ୍କୁ କୂଳକୁ ଫେରିବା ଏତେ ସହଜ ନଥିଲା । ଠିକ୍ ଏହି ସମୟରେ ଘଟିଗଲା ଏକ ବଡ ଅଘଟଣ । କାଳିଜାଈ ଦର୍ଶନ କରି ଫେରୁଥିବା ବେଳେ ହଠାତ୍ ବୁଡି ଯାଇଥିଲା ଏକ ଡଙ୍ଗା । ଯେଉଁଥିରେ ୬ଜଣଙ୍କ ମୃତ୍ୟୁ ହୋଇଗଲା । ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଏହି ଅଘଟଣର କାରଣ ଖୋଜିବାକୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ ପରିବହନ ମନ୍ତ୍ରୀ । ମାତ୍ର ୫ ଦିନ ଭିତରେ ରିପୋର୍ଟ ଆସିଲା ସତ । ହେଲେ ରିପୋର୍ଟରେ ଯାହା କୁହାଗଲା ଧର୍ମକୁ ଠିକ୍ ଆଖି ଠାର କଲା ଭଳି ।

Chilika boat tragedy

ରିପୋର୍ଟରେ ସ୍ପଷ୍ଟ କୁହାଯାଇଛି ଯେ, ଝଡ ପବନ ଯୋଗୁଁ ଘଟିଗଲା ଏତେ ବଡ ଅଘଟଣ । ଆଉ ଏହି ପବନର ବେଗରେ ଯେମିତି ପ୍ରଶାସନର ସବୁ ଦୋଷ ଦୁର୍ବଳତା ପରଦା ପଛକୁ ଠେଲି ହୋଇଗଲା ।

ପ୍ରଶାସନର ଏହି ରିପୋର୍ଟ ନେଇ ଉଠୁଛି ଅନେକ ପ୍ରଶ୍ନ-
-ଝଡ଼ ପବନ ଆସିଲେ ନିରାପଦ ଯାତ୍ରା ପାଇଁ ଏହି ରିପୋର୍ଟରେ ସୁପାରିଶ ହୋଇଛି କି ?
-ବିନା ଲାଇଫ୍ ଜାକେଟ୍ରେ ଯାତ୍ରା ନିସିଦ୍ଧ କରିବା ପାଇଁ ସୁପାରିଶ ହୋଇଛି କି ?
– ଫିଟନେସ୍ ନଥିବା ବୋଟ୍ ଗୁଡିକୁ ଯାତ୍ରା କରିବା ପାଇଁ ବାରଣ କରାଯାଇଛି କି ?
ଯଦି ଏସବୁ ପଦକ୍ଷେପ ନିଆନଯାଏ, ତେବେ ପୁଣି ଥରେ ଦୁର୍ଘଟଣାକୁ ଏଡାଇ ହେବ ନାହିଁ ।

ଚିଲିକାରୁ କାଳିଜାଈ ପ୍ରତିଦିନ ଶହ ଶହ ଡଙ୍ଗା ଚାଲିଛି । ଅନେକ ବେସରକାରୀ ଡଙ୍ଗାର ଫିଟନେସ୍ ନଥିବା ବେଳେ କିଛି ବୋଟ୍ ବିନା ଲାଇସେନ୍ସରେ ଚାଲିଛି । ବଡ କଥା ହେଉଛି ବିନା ଲାଇଫ୍ ଜାକେଟରେ ବି ପ୍ରତିଦିନ ଅତି ବିପଦସଂକୁଳ ଭାବରେ ଯାତ୍ରା କରୁଛନ୍ତି ଲୋକ ।