୫୦ ବର୍ଷ ପରେ ସ୍ଥାନାନ୍ତରିତ ହେଲା ଅମର ଯବାନ ଜ୍ୟୋତି, ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ କରାଗଲା ବିଲୟ

138

କନକ ବ୍ୟୁରୋ : ୫୦ ବର୍ଷ ପରେ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଆଜି ସମାରୋହ ପୂର୍ବବ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏହାକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । କହିରଖୁ କି ୧୯୭୧ ୟୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ସ୍ମରଣରେ ଏହି ଅମର ଯବାନ ଜ୍ୟୋତି ଜଳା ଯାଇଥିଲା । ଏହାପରେ ୨୦୧୯ ମସିହାରେ ଜାତୀୟ ଯୁଦ୍ଧ ସ୍ମାରକ ନିର୍ମାଣ କରାଯାଇଥିଲା । ଏହି ସ୍ମାରକ ନିର୍ମାଣ ପାଇଁ ପାଖାପାଖି ୧୭୬ କୋଟି ଟଙ୍କା ବ୍ୟୟ ହୋଇଥିଲା । ଏନେଇ କେନ୍ଦ୍ର ସରକାର ପ୍ରଥମରୁ ସ୍ପଷ୍ଟ କରିଥିଲେ କି ଅମର ଯବାନ ଜ୍ୟୋତି ଲିଭା ନଯାଇ ଏହାକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରାଯିବ ।

ଏନେଇ ଅପରାହ୍ନ ୩.୩୦ ମିନିଟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅମର ଯବାନ ଜ୍ୟୋତିକୁ ନେଇ ୪୦୦ ମିଟର ଦୂରରେ ଥିବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ବିଲିନ କରାଯାଇଥିଲା । ସୂଚନା ଥାଉକି ୧୯୭୧ ଯୁଦ୍ଧ ପରେ ୧୯୭୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ପ୍ରଥମ ଥର ଅମର ଯବାନ ଜ୍ୟୋତିରେ ଅଗ୍ନି ସଂଯୋଗ କରିଥିଲେ । ଏହାସହ ଇଣ୍ଡିଆ ଗେଟ ଠାରେ ସହିଦ ହୋଇଥିବା ଯବାନଙ୍କ ନାମ ଉଲ୍ଲେଖ କରାଯାଇଥିଲା (କେବଳ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ନାମ ) ।