ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଷ୍ଟର ଷ୍ଟ୍ରୋକ୍: ‘ଚାଉଳ’ ରାଜନୀତିରେ ଲାଗିଲା କି ନୂଆ ରଙ୍ଗ?

358

କନକ ବ୍ୟୁରୋ: ନୂଆବର୍ଷ ଅବ୍ୟବହିତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏକ ନିଷ୍ପତି, ରାଜ୍ୟ ରାଜନୀତିରେ ବଡ ପରିବର୍ତନର ସଂକେତ ଦେଉଛି । କାରଣ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମାଗଣା ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୋଦୀ ସରକାର । ଫଳରେ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଆଉ କିଲୋପିଛା ଟଙ୍କାଏ ବି ଦେବାକୁ ପଡିବ ନାହିଁ । ପୂର୍ବରୁ ଟଙ୍କିକିଆ ଚାଉଳ ପାଉଥିବା ହିତାଧିକାରୀଙ୍କ ପାଇଁ…

କେନ୍ଦ୍ର ସରକାର ଦେଉଥିଲେ- ୨୭ ଟଙ୍କା
ରାଜ୍ୟ ସରକାରଙ୍କ ଭାଗ ଥିଲା- ୨ ଟଙ୍କା
ହିତାଧିକାରୀ ଦେଉଥିଲେ – ୧ ଟଙ୍କା

ରାଜ୍ୟରେ ବିଜେଡି ସରକାରଙ୍କ ବଡ ଭୋଟ୍ ବ୍ୟାଙ୍କ ପାଲଟିଥିବା ଏହି ଟଙ୍କିକିଆ ଚାଉଳରେ କେନ୍ଦ୍ରର ଭାଗ କେତେ ସେନେଇ ବାରମ୍ବାର ବିଜେପି କହିଆସିଛି । ଏପରିକି ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ଆସି ଟଙ୍କିକିଆ ଚାଉଳର ହିସାବ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ଶୀର୍ଷ ନେତାଙ୍କ ଏହି ଦାବିର କୌଣସି ପ୍ରଭାବ ଓଡିଶା ଭୋଟରଙ୍କ ଉପରେ ପଡିନାହିଁ । କାରଣ ଟଙ୍କିକିଆ ଚାଉଳ ଯୋଜନା ରାଜ୍ୟ ସରକାରଙ୍କର । ୨୦୦୮ରେ ପ୍ରଥମେ ନବୀନ ପଟ୍ଟନାୟକ ସରକାର ୨ଟଙ୍କାରେ କିଲେ ଚାଉଳ ଦେଉଥିଲେ । ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆସିବା ପରେ, ଏହାକୁ ୧ଟଙ୍କା କରିଦିଆଗଲା । ତେଣୁ ହିତାଧିକାରୀଙ୍କ ଭିତରେ ଧାରଣା ଯେ, ନବୀନ ସରକାର ଶସ୍ତାରେ ଚାଉଳ ଦେଉଛନ୍ତି । ଏବେ ରାଜ୍ୟ ସରକାରଙ୍କ ମାତ୍ର ୨ଟଙ୍କାର ଯୋଗଦାନକୁ ଶେଷ କରିଦେଇ ବଡ ରାଜନୈତିକ ଗୋଟିଚାଳନା କରିଛନ୍ତି କେନ୍ଦ୍ର ସରକାର । ଏଣିକି ଲୋକଙ୍କ ପାଖକୁ ସିଧା ବାର୍ତା ଯିବ ଯେ, କେନ୍ଦ୍ରରୁ ମୋଦୀ ଦେଉଛନ୍ତି ମାଗଣା ଚାଉଳ ।

କେନ୍ଦ୍ରର ଘୋଷଣା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡୁଥିବା ପ୍ରାୟ ୯ଲକ୍ଷ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ମଧ୍ୟ ମାଗଣା ଚାଉଳ ଘୋଷଣା କରିଛନ୍ତି । ଅର୍ଥାତ ଏଣିକି କେବଳ ଏହିମାନଙ୍କ ଦାୟିତ୍ୱ ବିଜେଡି ସରକାର ନେବେ ।

ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୮୧ କୋଟି ୩୫ ଲକ୍ଷ ହିତାଧିକାରୀଙ୍କ ପାଇଁ ମାଗଣା ଚାଉଳ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ କୋଭିଡ ସଂକ୍ରମଣ ବେଳେ ୨୦୨୦ ଏପ୍ରିଲରୁ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାଟିକୁ ବନ୍ଦ କରିଦେଇଛନ୍ତି । ଏହି ଯୋଜନାରେ ମଧ୍ୟ ମାସକୁ ୫ କିଲୋ ଚାଉଳ ମାଗଣାରେ ବଂଟା ଯାଉଥିଲା । ଏହାକୁ ଆଉ ବର୍ଷଟିଏ ଚଳାଇଥିଲେ କେନ୍ଦ୍ର ସରକାରଙ୍କୁ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ବୋଝ ପଡିଥାନ୍ତା । ଏବେ କେବଳ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ । ତେଣୁ ମୋଦୀ ସରକାର ଗୋଟିଏ ଗୁଳିରେ ଦୁଇଟି ଶିକାର କରିଥିବା ରାଜନୀତି ପଣ୍ଡିତଙ୍କ ମତ ।