ମ୍ୟାନମାରରେ ସାମରିକ ଶାସନର କ୍ରୁରତା । ବିଭିନ୍ନ ସହରରେ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିମାଡ । ୧୮ ମୃତ, ୩୦ ରୁ ଅଧିକ ଗୁରୁତର

335

କନକ ବ୍ୟୁରୋ : ଫେବୃଆରୀ ପହିଲା ଦିନ ମ୍ୟାନମାର ସୈନ୍ୟବାହିନୀ ଦେଶର ଶାସନ କ୍ଷମତାକୁ ନିଜ ହାତକୁ ନେଇଛି । ଗଣତାନ୍ତ୍ରିକ ପଦ୍ଧତିିରେ ନିର୍ବାଚିତ ଆଙ୍ଗ ସାନ୍ ସ୍ୟୁ ଚୀ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିନେଇଥିଲା ସୈନ୍ୟବାହିନୀ । ଏନେଇ ସେହିଦିନ ଠାରୁ ମ୍ୟାନମାରରେ ସେନାବାହିନୀ ବିରୋଧରେ ସାଧାରଣ ଜନତା ବିକ୍ଷୋଭ ଜାରୀ ରଖିଛନ୍ତି । ଏହି କ୍ରମରେ ରବିବାର ଦିନ ସାମରିକ ଶାସନ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ସେନାବାହିନୀ ତା’ର କ୍ରୁରତା ଦେଖାଇଛି । ବିଭିନ୍ନ ସହରରେ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ତରଫରୁ ଗୁଳି ଚଳାଯିବା ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆନ୍ଦୋଳନକାରୀ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଦାୱେଇ, ୟାଙ୍ଗୁନ, ମ୍ୟେଇକ୍, ମାଣ୍ଡାଲେ, ବାଗୋ ଏବଂ ପୋକୋକ୍କୁ ସହରରେ ଆନ୍ଦୋଳନକାରୀ ମାନେ ସାମରିକ ଶାସନ ବିରୋଧରେ ସମାବେଶ କରୁଥିବା ବେଳେ ହଠାତ ପୋଲିସ ତରଫରୁ ସମାବେଶ ଉପରକୁ ଗୁଳି ଚଳା ଯାଇଥିିବା କଥା ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ ସମାବେଶ ସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ପୋଲିସ ପ୍ରଥମେ ଲୁହବୁହା ଗ୍ୟାସ୍, ଫ୍ଲାସବ୍ୟାଙ୍ଗ ଓ ଗ୍ରେନେଡ ମାଡ କରାଯାଇଥିଲା । ଏଥିରେ ଆନ୍ଦୋଳନକାରୀ ମାନେ ସମାବେଶ ସ୍ଥଳ ଛାଡି ନଯିବା ଫଳରେ ପୋଲିସ ଗୁଳି ଚାଳନା କରିଥିଲା । ମ୍ୟାନମାର ସାମରିକ ଶାସକଙ୍କ ଏଭଳି ଦମନଲୀଳାକୁ ଦୃଢ ନିନ୍ଦା କରିଛି ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ । ଏହାସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବିରୋଧରେ ବଳ ପ୍ରୟୋଗ ବନ୍ଦ କରିବାକୁ ମ୍ୟାନମାର ସାମରିକ ଶାସକଙ୍କୁ ଆହ୍ୱାନ ଦେଇଛନ୍ତି ମାନବାଧିକାର କାର୍ଯ୍ୟାଳୟର ମୁଖପାତ୍ର ରବିନା ଶାମଦସାନି ।