କର୍ଣ୍ଣାଟକ ନାଟକରେ ନୂଆ ମୋଡ : କାଲି ସକାଳ ସାଢେ ୧୦ଟାରେ ପୁଣି ସୁପ୍ରିମକୋର୍ଟରେ ଶୁଣାଣି । ସମସ୍ତ ପକ୍ଷଙ୍କୁ ନୋଟିସ, ଆଜି ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦିୟୁରପ୍ପା

46

କନକ ବ୍ୟୁରୋ : କର୍ଣ୍ଣାଟକରେ ବିଜେପିର ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ରାସ୍ତା ସଫା ହୋଇଛି । ଶପଥଗ୍ରହଣ ସମାରୋହ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସକାଳ ୯ଟାରେ ୟେଦୁୟୁରପ୍ପା ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ରାଜ୍ୟପାଳ ୟେଦୁୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଆମନ୍ତ୍ରଣ କରିବା ପରେ ଏହା ବିରୋଧରେ ରାତି ଅଧରେ ସୁପ୍ରିମକୋର୍ଟ ଯାଇଥିଲେ । ଅଧରାତିରୁ ଭୋର ଯାଏଁ ସୁପ୍ରିମକୋର୍ଟରେ କର୍ଣ୍ଣାଟକ ଲଢେଇ ଜାରି ରହିଥିଲା । ତେବେ ଶପଥ ଗ୍ରହଣ ସମାରୋହ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ କଂଗ୍ରେସ-ଜେଡିଏସ ମାମଲାକୁ ଖାରଜ ବି କରିନାହାନ୍ତି । ମାମଲାରେ ୟେଦୁୟୁରପ୍ପାଙ୍କ ସହ ସମସ୍ତ ପକ୍ଷକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ୧୫ ଓ ୧୬ ତାରିଖର ସମସ୍ତ ତଥ୍ୟ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ, ଯାହାକୁ ୟେଦୁୟୁରପ୍ପା ରାଜ୍ୟପାଳଙ୍କୁ ଦେଇଥିଲେ । ମାମଲାର ଶୁଣାଣି ଆସନ୍ତାକାଲି ସକାଳ ସାଢେ ୧୦ଟାରେ ପୁଣି ହେବ ।

ସୂଚନାଯୋଗ୍ୟ, ଗତକାଲି କର୍ଣ୍ଣାଟକ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଡାକିବା ପରେ ଆରମ୍ଭ ହୋଇଥିଲା ଅସଲ ନାଟକ । ସକାଳ ୯ଟାରେ ଶପଥ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଗତକାଲି ରାତି ୧୧ଟା ୨୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଂଗ୍ରେସ ଓ ଜେଡିଏସ । କଂଗ୍ରେସ କହିଥିଲା, ଦିନ ୪ଟା ଯାଏଁ ଶପଥ ଗ୍ରହଣ ସମାରୋହଙ୍କୁ ଟଳାଯାଉ । ରାତି ଗୋଟାଏ ୪୫ ମିନିଟିରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ । ଜଷ୍ଟିସ ସିକ୍ରିୀ, ଜଷ୍ଟିସ ଭୂଷଣ ଓ ଜଷ୍ଟିସ ବୋବଡେଙ୍କ ବେଂଚ ରାତି ୨ଟା ପରେ ମାମଲାର ଶୁଣାଣି କରିଥିଲେ । କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ସିଙ୍ଗଭି ଓ ବିଜେପି ପକ୍ଷରୁ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ କୋର୍ଟରେ ପକ୍ଷ ରଖିଥିଲେ । ରାତି ୨ଟାରେ ସୁପ୍ରିମକୋର୍ଟ ୟେଦୁୟୁରପ୍ପା ଶପଥ ସମାରୋହ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ସୁପ୍ରିକୋର୍ଟରେ ଦ୍ୱିତୀୟ ଥର ପାଇଁ ରାତିରେ ଏଭଳି ଐତିହାସିକ ଶୁଣାଣି ହୋଇଛି ।

ସେପଟେ ରାଜ୍ୟପାଳଙ୍କ ନିଷ୍ପତି ବିରୋଧରେ କଂଗ୍ରେସ ଓ ଜେଡିଏସ ରାତିରେ ବେଙ୍ଗାଲୁରୁରେ ପ୍ରଦର୍ଶନ କରିଥିଲେ । ସେପଟେ ବିଧାୟକ ଦଳରେ କୌଣସି ବିଭାଜନ ଆଶଙ୍କାରେ ବେଙ୍ଗାଲୁରୁର ଏକ ହୋଟେଲରେ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ରଖିବାକୁ ଉଦ୍ୟମ ଚାଲିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଏବେ ୧୫ ଦିନ ମଧ୍ୟରେ ବହୁମତ ସାବ୍ୟସ୍ତ କରିବେ । କିନ୍ତୁ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ ପାଲଟିଛି କଂଗ୍ରେସ ଓ ଜେଡିଏସ ପାଇଁ ।