ସାଇକେଲରେ ୧୩୦ ଦିନର ଯାତ୍ରା । ପୃୃଥିବୀ ଭ୍ରମଣ କରିବ ୧୯ବର୍ଷୀୟ ଯୁବତୀ । ବିଶ୍ୱ ରେକର୍ଡ ଲକ୍ଷ୍ୟରେ ବେଦାଙ୍ଗୀ

33

ଆଉ ଘର କୋଣରେ ବସିରହିବା ପାଇଁ ସେ ପ୍ରସ୍ତୁତ ନୁହେଁ । ଦେଶର ପ୍ରତିରକ୍ଷା ଠାରୁ ଆରମ୍ଭ କରି ଗବେଷଣା, ମହାକାଶ ଠାରୁ ଅତଳ ଜଳରାଶିରେ ସଂଘର୍ଷ କରିବାର ନିଶାରେ ଆଗେଇଚାଲିଛି ଭାରତୀୟ ନାରୀ । ଆଉ ସବୁଠି ଦେଖାଇଛି ନିଜର ସାହସ, ପରାକାଷ୍ଠା ଆଉ କୃତିତ୍ୱ । ସେହିଭଳି ଆଉ ଜଣେ ମହୀୟସି ମହିଳାଙ୍କର ବିରଳ କୃତିତ୍ୱ ଆସିଛି ସାମ୍ନାକୁ । ବିଶ୍ୱ ରେକର୍ଡ କରିବାର ଅଜବ ନିଶା ୧୯ ବର୍ଷରେ । ପୁଣି ଜଣେ ମହିଳାଙ୍କର । ସାଇକେଲରେ ବିଶ୍ୱ ଭ୍ରମଣ କରିବାର ବିରଳ ରେକର୍ଡ ।

ପୁଣେର ୧୯ ବର୍ଷୀୟ ଯୁବତୀ ବେଦାଙ୍ଗି କୁଲକର୍ଣ୍ଣୀ, ୨୦୧୮ କୁ ସ୍ୱତନ୍ତ୍ର ଭାବେ ସ୍ମରଣୀୟ କରିବା ପାଇଁ ଇଚ୍ଛା କରିଛନ୍ତି । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଗତ ମାସରେ ଶହେରୁ ଅଧିକ କିଲୋମିଟର ସାଇକେଲ ଚଲାଇଛନ୍ତି । ବର୍ତମାନ ବେଦାଙ୍ଗୀ ୨୯ହଜାର କିଲୋମିଟର ସାଇକେଲ ଚଲାଇ ବିଶ୍ୱର ସର୍ବକନିଷ୍ଠ ଦ୍ରୁତଗାମୀ ସାଇକେଲ ଚଳାଳି ହେବା ପାଇଁ ଚେଷ୍ଟା କରୁଛନ୍ତି । ସେ ୧୩୦ ଦିନରେ ତାଙ୍କର ଏହି ଯାତ୍ରା ଶେଷ କରିବା ପାଇଁ ଚେଷ୍ଟା କରୁଛନ୍ତି । ସାଉଥଆମେରିକା ଓ ଆଂଟାର୍କଟିକା ବ୍ୟତୀତ ଅନ୍ୟ ମହାଦେଶକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଜଣେ ୧୯ ବର୍ଷୀୟ ମହିଳାଙ୍କ ପାଇଁ ଏଭଳି ଯାତ୍ରା ନିଶ୍ଚିତ ଭାବେ କାଠିକର ପାଠ । କିନ୍ତୁ ବେଦାଙ୍ଗୀ ଏହାକୁ ଅତି ହାଲକା ଭାବେ ଗ୍ରହଣ କରିଛନ୍ତି । ସେ କହିଛନ୍ତି ମୁଁ ଆବଶ୍ୟକୀୟ ତାଲିମ ନେଇଛି । ଏହା ମୋ ପାଇଁ ଅତି ସାମାନ୍ୟ କଥା, ସେ ଏହାକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରଥିବା କହିଛନ୍ତି । ପ୍ରଶିକ୍ଷଣ ସମୟରେ ସେ ମୁମ୍ବାଇରୁ ନୂଆଦିଲ୍ଲୀ ୧୪ଶହ କିଲୋମିଟର ଯିବା ସମୟରେ ସେ ଏହା କହିଥିଲେ ।

ବେଦାଙ୍ଗୀ ବୋର୍ନେମାଉଥ ବିଶ୍ୱବିଦ୍ୟାଳୟରେ କ୍ରୀଡା ପରିଚାଳନା ବିଭାଗର ଛାତ୍ରୀ ଅଛନ୍ତି । ବେଦାଙ୍ଗୀ ଏହାକୁ ନୂଆବର୍ଷର ସଂକଳ୍ପ ବୋଲି କହିଛନ୍ତି । ସେ ନୂଆଦିଲ୍ଲୀରେ ପହଂଚିବା ପରେ ଜଣାଶୁଣା ବ୍ୟକ୍ତି ଓ ସରକାରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ତାଙ୍କ ଯାତ୍ରା ପାଇଁ ଆବଶ୍ୟକୀୟ କାଗଜପତ୍ର ଦେବାରେ ଅନୁରୋଧ କରିବେ ବୋଲି କହିଛନ୍ତି ।