ସୁପ୍ରିମକୋର୍ଟଙ୍କ ରାୟ ଯୋଗୁଁ ଚାଲିଗଲା ଜୀବନ ! ପରକୀୟା ପ୍ରୀତି ଅବୈଧ ନୁହେଁ ବୋଲି ଯୁକ୍ତି କଲେ ସ୍ୱାମୀ, ଆତ୍ମହତ୍ୟା କଲେ ସ୍ତ୍ରୀ

99

ପରକୀୟା ପ୍ରୀତି ଅପରାଧ ନୁହେଁ । ଗତ ସପ୍ତାହରେ ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ରାୟର ଶୁଣାଣି ପରେ ଅନେକ ବିବାଦ ମଧ୍ୟ ଉପୁଜିଥିଲା । ହେଲେ ନିକଟରେ ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଚେନ୍ନାଇ ଏମଜିିଆର ନଗରରେ ଜଣେ ୨୪ ବର୍ଷୀୟ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିବାର ମାମଲା ସାମ୍ନାକୁ ଆସିଛି ।

ଚେନ୍ନାଇର ଏମଜିିଆର ନଗରରେ ରହୁଥିବା ଜଣେ ସିକ୍ୟୁରିଟି ଗାର୍ଡ଼ ନିଜ ସ୍ତ୍ରୀକୁ ସୁପ୍ରିମକୋର୍ଟର ରାୟ ବିଷୟରେ ବୁଝାଇବା ସହ ଏବେ ତୁମେ ମୋତେ ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ମନା କରିପାରିବ ନାହିଁ ବୋଲି କହିଥିଲେ । କାରଣ ସୁପ୍ରିମ କୋର୍ଟ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି କହି ସାରିଛନ୍ତି । ଏହା ଶୁଣିବା ପରେ ଚୌକିଦାରଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଉଭୟଙ୍କର ଏକ ପୁଅ ମଧ୍ୟ ଅଛି ।

ସୂଚନା ମୁତାବକ, ଦୁଇ ବର୍ଷ ପୂର୍ବେ ପୁଷ୍ପଲତା ଏବଂ ଜନ୍ ଫ୍ରାଙ୍କଲିନ ପରସ୍ପରକୁ ପ୍ରେମ ବିବାହ କରିଥିଲେ । ଘର ଲୋକଙ୍କୁ ବିରୋଧ କରି ଦୁହେଁ ବିବାହ କରିଥିଲେ । କିଛି ମାସେ ତଳେ ଜନ୍ ପୁଷ୍ପଲତାଙ୍କୁ ଟିବି ହୋଇଥିବା ଜାଣି ତାଙ୍କ ଠାରୁ ଦୂରତା ବଜାୟ ରଖିବା ସହ ତାଙ୍କୁ କୌଣସି ଆର୍ଥିକ ସହାୟତା ଦେଇ ନଥିଲେ । ଏ ନେଇ ପୁଷ୍ପଲତା ଜନଙ୍କ ଜଣେ ସାଙ୍ଗକୁ ଜଣାଇବା ପରେ ଜନ୍ ଅନ୍ୟ ମହିଳାଙ୍କ ସହ ସଂପର୍କ ରଖିଥିବା କହିଥିଲେ ଜନଙ୍କ ସାଙ୍ଗ । ଏହା ଜାଣି ପୁଷ୍ପଲତା ଜନଙ୍କ ସହ ଝଗଡ଼ା କରିବା ସହ ସେ ମହିଳାଙ୍କଠାରୁ ଦୂରରେ ରହିବା ପାଇଁ କହିଥିଲେ ।

hanging by death
Image Courtesy : http://media2.intoday.in

ଯଦି ଏମିତି ନ କର ମୁଁ ପୁଲିସରେ ଅଭିଯୋଗ କରିବି ବୋଲି ପୁଷ୍ପଲତା ଜନଙ୍କୁ କହିବା ପରେ ହସିବାକୁ ଲାଗିଥିଲେ ଜନ୍ । ହସିବାର କାରଣ ପଚାରିବା ପରେ ଜନ୍ ସୁପ୍ରିମ କୋର୍ଟଙ୍କ ରାୟ ବିଷୟରେ ପୁଷ୍ପଲତାଙ୍କୁ ଜଣାଇବା ସହ ଅନ୍ୟ ମହିଳା ସହ ଶାରୀରିକ ସଂପର୍କ ରଖିବା ଏବେ ଆଉ ଅପରାଧ ନୁହେଁ ବୋଲି କହିଥିଲେ । ଜନଙ୍କ କଥା ଶୁଣି ଆଘାତ ପାଇଥିଲେ ପୁଷ୍ପଲତା । ଆଉ ଶେଷରେ ଆତ୍ମହତ୍ୟାର ବାଟକୁ ବାଛିନେଲେ । ତେବେ ପୁଷ୍ପଲତାଙ୍କ ଆତ୍ମହତ୍ୟା ପରେ ଜନକୁ ଗିରଫ କରିଛି ପୋଲିସ୍ ।