ପରିବର୍ତ୍ତୀତ ରାଜନୀତିରେ ବଦଳୁଛନ୍ତି କି ନବୀନ ! ବିଜେପି ପ୍ରତି ଦେଖାଉଛନ୍ତି କି ନରମ ଆଭିମୁଖ୍ୟ! ଜାଣନ୍ତୁ ଚର୍ଚ୍ଚା ପଛର ଆଧାର

54

କନକ ବ୍ୟୁରୋ: ପ୍ରଥମେ ରାଷ୍ଟ୍ରପତି ନିର୍ବାଚନରେ ସହଯୋଗର ହାତ ବଢ଼ାଇଲେ । ଆଜି ଆଇଓସିଏଲ ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା । ପୁଣି ଓଡିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା । ଏ ତମାମ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଧିରେ ଧିରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟି ପ୍ରତି ନରମ ଆଭିମୁଖ୍ୟ ଦେଖାଉଥିବା ଏବେ ଆଲୋଚନାର ବିଷୟ ପାଲଟିଛି ।

ରାଷ୍ଟ୍ରପତି ନିର୍ବାଚନ ସମୟରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ନବୀନଙ୍କ ବିଜେପି ପ୍ରତି ଥିବା ଆଭିମୁଖ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ୟୁପିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପରେ ଏ ଚର୍ଚ୍ଚା ଟିକିଏ ଥମି ଯାଇଥିଲା । କିନ୍ତୁ ଆଇଓସିଏଲର ପାରାଦୀପ ରିଫାଇନାରୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ ଆଲୋଚନା କରିବା, ପୁଣି ନବୀନଙ୍କ ମୁଡକୁ ଚର୍ଚ୍ଚାର ପରିଧି ଭିତରକୁ ଆଣିଛି । ଅନେକ ଏହି ମିଟିଂକୁ ମେଣ୍ଟର ପୂର୍ବାଭାଷ ବୋଲି ମଧ୍ୟ ଆଲୋଚନା କଲେଣି ।

ମେକଇନ ଓଡିଶା କନକ୍ଲେଭ ସମୟରେ ଓଡିଶାକୁ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ । ସେହିଭଳି ପଂଚାୟତ ନିର୍ବାଚନ ପରେ କେବଳ ଅମିତ ଶାହ ନବୀନଙ୍କୁ କଟୁ ସମାଲୋଚନା କରିଥିବା ବେଳେ ବିଭିନ୍ନ ସମୟରେ ଓଡିଶାକୁ ଆସିଥିବା ଅନେକ କେନ୍ଦ୍ରୀୟ ନେତାମାନେ କିନ୍ତୁ ମାପିଚୁପି ବୟାନ ରଖୁଥିଲେ । ସିଧା ସମାଲୋଚନା କରୁନଥିଲେ ବିଜେଡି ମୁଖିଆଙ୍କୁ । ଯାହା ବିଜେପିର ବିଜେଡି ପ୍ରତି କଡା ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହାପରେ ନବୀନଙ୍କ ଦିଲ୍ଲୀଗସ୍ତ ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିବା ଓ ସକରାତ୍ମକ ଆଲୋଚନା ହେବା ମଧ୍ୟ ବିଜେଡି-ବିଜେପି ମଧ୍ୟରେ ଗୁପ୍ତ ବୁଝାମଣା ଥିବା ପ୍ରସଙ୍ଗକୁ ପୁଣିଥରେ ସତେଜ କରିଛି ।

ବିହାରରେ ତଦନ୍ତରୁ ବଂଚିବା ପାଇଁ ଲାଲୁଙ୍କ ହାତଛାଡି ମୋଦିଙ୍କ ହାତ ଧରିଥିଲେ ନୀତିଶ । ଏହାର କିଛିଦିନ ମଧ୍ୟରେ ସ୍ୱତନ୍ତ୍ର ପ୍ୟାକେଜ ବି ମିଳିଛି ନୀତିଶଙ୍କୁ । ବିହାର ରାଜନୀତିରେ ଧାଁ ଧପଡ ଚାଲିଥିବା ବେଳେ ଓଡିଶାରେ ଏହି ଚିତ୍ର ଦେଖିବାକୁ ମିଳିପାରେ ବୋଲି ରାଜନୀତି ସମୀକ୍ଷକ ମାନେ ମତ ରଖିଛନ୍ତି । କାରଣ ଚିଟଫଣ୍ଡ କେଳେଙ୍କାରୀରେ ସିବିଆଇର ତନାଘନା ବିଜେଡିକୁ ଅନେକ ଅସୁବିଧାରେ ପକାଇଛି । ସିବିଆଇ ସ୍କାନରରେ ବିଜେଡି ନେତାମାନେ ରହିଥିବା ବେଳେ ନବୀନ ନିବାସ ଯାଏ ତଦନ୍ତକାରୀ ସଂସ୍ଥା ପହଂଚିବା ପରେ ଏହାକୁ ନେଇ ତାତି ବଢ଼ିଥିଲା । ହେଲେ ନବୀନଙ୍କ ବାରମ୍ବାର ଦିଲ୍ଲୀଗସ୍ତ ପରେ ସିବିଆଇ ଖୋଳତାଡ ନିୟନ୍ତ୍ରଣଳୁ ଆସିଛି ।

ଆଲୋଚନା ହେଉଛି ନୀତିଶଙ୍କ ରାସ୍ତାରେ ଯାଇପାରନ୍ତି ନବୀନ । ଚିଟଫଣ୍ଡ ଓ ଖଣି ଦୁର୍ନିତୀରୁ ମୁକ୍ତି ପାଇବାକୁ ବିଜେପି ପ୍ରତି କଡା ଆଭିମୁଖ୍ୟ ଦେଖାଇବାକୁ ଚାହୁଁନାହାଁନ୍ତିି ନବୀନ । ଜାତୀୟ ଗଣମାଧ୍ୟମରେ ମୋଦିଙ୍କ ଆଉଟପୁଟ ଦେଖିବା ପରେ ହୁଏତ ନବୀନ ନିଜ ଆଭିମୁଖ୍ୟ ବଦଳାଇଥାଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି । ପୁଣି ପଂଚାୟତ ନିର୍ବାଚନରେ ବିଜେପି ନିଜର ଶକ୍ତି ବୃଦ୍ଧି କରି ବିଜେଡିକୁ ହତବାକ କରିଛି । କଂଗ୍ରେସ ବଦଳରେ ବିଜେଡି ପାଇଁ ମୁଖ୍ୟ ବିରୋଧୀଦଳ ଭାବେ ଠିଆ ହୋଇଛି ପଦ୍ମଦଳ । କେନ୍ଦ୍ରମନ୍ତ୍ରୀମାନଙ୍କ ଘନଘନ ଗସ୍ତ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଅଙ୍କ ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ନଜର ହୁଏତ ବିଜେଡିକୁ ନରମ କରିଥାଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହୋଇଛି ।

ଆଗୁଆ ସଚେତନ ହୋଇ ରାଜନୈତିକ ସ୍ୱାର୍ଥ ହାସଲ କରିବାରେ ଅନେକ ନେତାଙ୍କ ଉଦାହରଣ ରହିଛି । ଯଦି ନବୀନ ଏହି ରାସ୍ତାରେ ଯିବେ ତେବେ ଉଦାହରଣ ଲିଷ୍ଟରେ ଆଉ ଏକ ନୂଆ ନାମ ଯୋଡି ହେବ ନିଶ୍ଚିତ । ତେବେ ରାଜନୀତିରେ କୌଣସି ନିର୍ଦ୍ଦିଷ୍ଟ ଗତିପଥ ନଥିବାରୁ କେଉଁ ପାଣି କେଉଁ ଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।