କାହିଁକି ବିଧାୟକ ପଦ ଛାଡିଲେ କୃଷ୍ଣ ଶଗରିଆ? କଣ ରହିଛି ରହସ୍ୟ?

ଶଗରିଆଙ୍କ ଇସ୍ତଫା ପଛରେ ମାଷ୍ଟରମାଇଣ୍ଡ କିଏ? ୨୦୧୪ରେ ଟିକେଟ ବାଂଟିବାରେ ପ୍ରମୁଖ ଭୂମିକା ନେଇଥିବା ନେତା ନାହାନ୍ତି ତ?

383

ଯେତେବେଳେ ସାରା ଭାରତରେ କଂଗ୍ରେସ ତାର ସ୍ଥିତିକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଛି, ଠିକ ସେତିକିବେଳେ ରାଜ୍ୟରେ ୧୮ ବର୍ଷ ଧରି କ୍ଷମତାରୁ ବାହାରେ ଥିବା କଂଗ୍ରେସ ଦଳର ଜଣେ ବିଧାୟକ ଇସ୍ତଫା ଦେବା ବେଶ ରୋଚକ ହୋଇଛି । ତା’ପୁଣି ହାଇକମାଣ୍ଡଙ୍କ ନିକଟତର ବୋଲି ଚର୍ଚ୍ଚା ହେଉଥିବା ଜଣେ ବିଧାୟକ । କଥା ବିଲକୁଲ ବୁଝା ପଡୁନି ।


ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଇସ୍ତଫା ଦେବା କଥା ଘୋଷଣା କଲେ ଶଗରିଆ ସେତେବେଳେ ପ୍ରଶ୍ନ ଉଠିଲା, ହଠାତ କାହିଁକି ଏ ନିଷ୍ପତ୍ତି? ପ୍ରସଙ୍ଗ କଣ? ଉତ୍ତର ଆସିଲା, କୁନ୍ଦୁଲି ପିଡୀତା ଯେତେବେଳେ ନ୍ୟାୟ ପାଇଲେନି ସେତେବେଳେ ସେ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ ।
କଥା ଆପଣଙ୍କୁ ଯେମିତି ଆଶ୍ଚର୍ଯ୍ୟ ଲାଗୁଛି, ଆମକୁ ମଧ୍ୟ ଠିକ ସମାନ ଢଙ୍ଗରେ ବିଚଳିତ କଲା । ହଠାତ୍ ଶଗରିଆଙ୍କର କୁନ୍ଦୁଲି ପ୍ରସଙ୍ଗ ମନେ ପଡିଲା ନା ଫରେଷ୍ଟ ପାର୍କ ନିକଟରୁ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କର ଇଶାରା ଏହା ପଛରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ।


୧୦ ମାସ ତଳେ ଯେତେବେଳେ କୁନ୍ଦୁଲି ପିଡୀତାଙ୍କ ଦେହାନ୍ତ ହେଲା ସେତେବେଳେ ରାଜନୀତି ବେଶ ସରଗରମ ହୋଇଥିଲା । ଆଉ ଯଦି ନ୍ୟାୟ ନ’ମିଳିବାକୁ ନେଇ ଶଗରିଆ ବେଶ ମର୍ମାହତ ଥିଲେ ତେବେ ସେହି ସମୟରେ କାହିଁକି ପଦ ଛାଡିଲେନି? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । ହେଲେ ଏହାର ସଠିକ ଉତ୍ତର ଦେବାରେ କେଜାଣି କାହିଁକି ଶଗରିଆ ବିଫଳ ହେଉଥିବା ଦେଖିବାକୁ ମିଳିଲା ।

 
ପ୍ରକୃତ କଥା ଯାହା ଚର୍ଚ୍ଚା ହେଉଛି, ନିରଂଜନଙ୍କ ସହ ମତାନ୍ତର ହିଁ ବିଧାୟକ ପଦରୁ ଇସ୍ତଫା ଦେବାର ପ୍ରମୁଖ କାରଣ । ଗୋଟିଏ ଗୁଳିରେ ୨ଟି ଶିକାର କରିଛନ୍ତି ଶଗରିଆ । ଏକରେ ନିରଂଜନଙ୍କ ବିପକ୍ଷ ଗୋଷ୍ଠୀଙ୍କ ଚାଲ ସଫଳ ହୋଇଛି, ଦିଲ୍ଲୀକୁ ବାର୍ତ୍ତା ଯାଇଛି ଯେ ରାଜ୍ୟ କଂଗ୍ରେସରେ ସବୁ କିଛି ଠିକ ନାହିଁ । ଆଉ ନିର୍ବାଚନ ପୂର୍ବରୁ ବଡ ରାଜନୈତିକ ଚାଲ ଖେଳିଛନ୍ତି ଶଗରିଆ । ନିର୍ବାଚନ ମଣ୍ଡଳୀରେ ବିଶ୍ୱାସ ଜନ୍ମାଇବାକୁ ଷ୍ଟଂଟ କରିଥିବା ଚର୍ଚ୍ଚା ଚାଲିଛି । ଲୋକେ ଭାବିବେ, ବିଧାୟକ ସେମାନଙ୍କ ପାଇଁ କେତେ ଚିନ୍ତିତ ।


ହେଲେ ବଡ କଥା ହେଉଛି, କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା । ସମସ୍ତେ ଏହି ଘଟଣାକୁ ନେଇ ବେଶୀ ଚିନ୍ତିତ ଥିଲା ଭଳି ଲଙ୍କଜ୍ଞରନାହାନ୍ତି । କାହିଁକି ନା, କେବେ ନା କେବେ ଏଭଳି ହେବ ବୋଲି ଉଣା ଅଧିକେ ସମସ୍ତେ ଜାଣିଥିଲେ । ମଝିରେ ଦିନେ ଶଗରିଆ ମାତିଥିଲେ, ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିଲେ । ହେଲେ ସେହିଦିନ ଏହି ବାତ୍ୟା ଆସିନଥିଲା, ଯାହା ଆଜି ଆସିଛି ।


ଇସ୍ତଫା କିନ୍ତୁ ନିରଂଜନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିବ । କାରଣ କଂଗ୍ରେସକୁ ସଂଗଠିତ କରି ଆଗକୁ ବଢିବା ପାଇଁ ଯେତେବେଳେ ରଣନୀତି ତିଆରି ଚାଲିଛି ଠିକ ସେତିକି ବେଳେ ଶଗରିଆଙ୍କ ଇସ୍ତଫା ପିସିସି ସଭାପତିଙ୍କ କର୍ତ୍ତୃତ୍ୱ ଉପରେ ପ୍ରଶ୍ନ ଉଠାଇବ । ହଁ, ଏହା ମଧ୍ୟ ସତ ବିରୋଧୀ ପକ୍ଷଙ୍କୁ ଏହା ବେଶ ଫାଇଦା ମଧ୍ୟ ଦେବ । ଦେଖାଯାଉ, ଟଣାଓଟରାରେ କିଏ ବାଜି ମାରୁଛି ।