୨୦୧୨ରେ ଆଉଥରେ ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ କଲାମ! କିନ୍ତୁ କିଏ ସାଜିଥିଲା ବାଧକ, ଜାଣନ୍ତୁ ରାଜମୋହନ ଗାନ୍ଧୀଙ୍କ ପୁସ୍ତକର କିଛି ଭିତିରି କଥା ।

514

ଆଉଥରେ ରାଷ୍ଟ୍ରପତି ପଦରେ ବସିବାକୁ ଚାହୁଁଥିଲେ ଏପିଜେ ଅବଦୁଲ କଲାମ । ଏଭଳି ଏକ କଥା ଏବେ ସାମ୍ନାକୁ ଆସିଛି । ୨୦୧୨ରେ ବିଜେପି ଓ ତୃଣମୁଳ କଂଗ୍ରେସର ସମର୍ଥନରେ ପୁଣିଥରେ ରାଷ୍ଟ୍ରପତି ରେସରେ ସାମିଲ ହେବାକୁ ଚାହୁଁଥିଲେ କଲାମ । କିନ୍ତୁ କଂଗ୍ରେସ ଓ ଅନ୍ୟାନ୍ୟ କିଛି ଦଳ ସମର୍ଥନ ନ କରିବାରୁ ସେ ଏହି ରେସରୁ ନିଜକୁ ବାହାର କରିଦେଇଥିଲେ । ଐତିହାସିକ ରାଜମୋହନ ଗାନ୍ଧୀଙ୍କ ‘Modern south india: a history from the 17th century to our times’ ପୁସ୍ତକରେ ଏଭଳି ଦାବି କରାଯାଇଛି ।

କଲାମ ରାଷ୍ଟ୍ରପତି ରେସରୁ ବାଦ୍ ପଡିବା ପରେ କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀ ଭାରତର ୧୩ତମ ରାଷ୍ଟ୍ରପତି ହୋଇଥିଲେ । ପ୍ରତିଭା ପାଟିଲଙ୍କ ପରେ ପ୍ରଣବ ଏହି ସ୍ଥାନ ନେଇଥିଲେ । ଗାନ୍ଧୀ ନିଜ ବହିରେ ଲେଖିଛନ୍ତି, ରାଷ୍ଟ୍ରପତି ଭାବେ ୨୦୦୭ରେ କଲାମଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୁରାତନ ସଂସ୍କୃତି ପ୍ରତି କଲାମଙ୍କ ଭଲପାଇବା, ହିନ୍ଦୁ ଧାର୍ମିକ ସଙ୍ଗଠନର ନେତା କଲାମଙ୍କୁ ଭଲପାଇବା ଓ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କର ଥିବା ଅବଦାନ ପାଇଁ କଲାମଙ୍କୁ ହିନ୍ଦୁ ବହୁଳ ଭାରତର ପସନ୍ଦତମ ମୁସଲିମ ଭାବେ ଉଭା କରିଥିଲା ।

ରାଜମୋହନ ନିଜ ପୁସ୍ତକରେ ଲେଖିଛନ୍ତି, ବିଜେପି ଓ ତୃଣମୁଳ କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ୨୦୧୨ରେ ରାଷ୍ଟ୍ରପତି ପଦ ପାଇଁ କଲାମଙ୍କ ନାଁ ପ୍ରସ୍ତାବ ରଖିଥିଲେ ଏବଂ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ । କିନ୍ତୁ କଂଗ୍ରେସ ଓ ଅନ୍ୟାନ୍ୟ ସହଯୋଗୀ ଦଳକୁ ଏହା ପସନ୍ଦ ଆସିନଥିଲା । ଆଉ ସର୍ବସମ୍ମତି ନ ହେବାରୁ କଲାମ ରାଷ୍ଟ୍ରପତି ରେସରୁ ନିଜକୁ ଦୂରେଇ ରଖିଥିଲେ ।

୨୦୦୨ରେ ସମାଜବାଦୀ ପାର୍ଟିର ତକ୍ରାଳୀନ ମୁଖିଆ ମୁଲାୟମ ସିଂ ଯାଦବ ରାଷ୍ଟ୍ରପତି ପଦ ପାଇଁ କଲାମଙ୍କ ନାଁ ପ୍ରସ୍ତାବ ରଖିଥିଲେ । ଦେବଗୌଡା ଓ ଗୁଜରାଲ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ମୁଲାୟମ କଲାମଙ୍କ ସହ ବେଶ ପରିଚିତ ଥିଲେ । ଖାସକରି ଡିଆରଡିଓର ପ୍ରମୁଖ ଥିବାରୁ କଲାମଙ୍କ ସହ ଭଲ ସର୍ମ୍ପକ ଥିଲା ମୁଲାୟମଙ୍କର । ତେଣୁ କେ.ଆର ନାରାୟଣନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ କଲାମଙ୍କ ନାଁ ରାଷ୍ଟ୍ରପତି ଭାବେ ପ୍ରସ୍ତାବ ରଖିଥିଲେ ମୁଲାୟମ ।

କେ.ଆର ନାରାୟଣନଙ୍କ ପରେ କଲାମ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ପଦରେ ବସିଥିଲେ । ଏପରିକି ଦେଶର ସବୁଠୁ ଲୋକପ୍ରିୟ ରାଷ୍ଟ୍ରପତି ଭାବେ ସମସ୍ତଙ୍କ ମନ ଜିଣିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ସେ ସମର୍ଥନ ହାସଲ କରିଥିଲେ । ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ସେ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟ ସହ ଜଡିତ ଥିଲେ । ଆଉ ୨୦୧୫ ଜୁଲାଇ ୨୭ରେ ଦେଶ ନିଜର ପ୍ରିୟ ପୁତ୍ର କଲାମଙ୍କୁ ହରାଇଥିଲା ।