ବାପ-ପୁଅ ପଲିଟିକ୍ସ ପାଇଁ ଝୁଲିଲା ବଲାଙ୍ଗୀରର ଦୁଇ ଆସନ? ଶେଷ ପର୍ଯ୍ୟନ୍ତ ସସପେନ୍ସରେ ରଖିପାରନ୍ତି ବିଜେଡି ସୁପ୍ରିମୋ ।

673

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଲଢେଇ ପାଇଁ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଏହି ଲୋକସଭା ଅଧୀନରେ ଆସୁଥିବା ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକାକୁ ନେଇ କନଫ୍ୟୁଜନରେ ରହିଛି ବିଜେଡି । ଯେଉଁଥିରେ ବଲାଙ୍ଗୀରର ଦୁଇଟି ହାଇପ୍ରୋଫାଇଲ ଆସନକୁ ଝୁଲାଇ ରଖିଛନ୍ତି ଦଳପତି । ବଲାଙ୍ଗୀର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଲାଙ୍ଗୀର ଓ ଲୋଇସିଂହା ଭଳି ଦୁଇଟି ସମ୍ମାନ ଜନକ ଆସନରୁ କାହାକୁ ଟିକେଟ ଦିଆଯିବ ତାହାକୁ ସସପେନ୍ସରେ ରଖିଛନ୍ତି ବିଜେଡି ସୁପ୍ରିମୋ । ଏପରିକି ଏହାକୁ ନେଇ ଏବେ ବଲାଙ୍ଗୀର ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି ।

କୁହାଯାଉଛି, ପରିବାରବାଦ ରାଜନୀତିକୁ ନେଇ ବଲାଙ୍ଗୀରର ଏହି ଦୁଇଟି ଆସନ ପାଇଁ କନଫ୍ୟୁଜନରେ ଅଛି ବିଜେଡି । କାହାକୁ ଟିକେଟ ଦିଆଯିବ ସେନେଇ ଅଙ୍କ ଛିଣ୍ଡୁନି । ଗୋଟିଏ ପଟେ ଅନଙ୍ଗ ଉଦୟ ସିଂହଦେଓ ନିଜର ସାନପୁଅ ଅର୍କେଶଙ୍କ ରାଜନୈତିକ କ୍ୟାରିୟର ଗଢିବା ପାଇଁ ନିଜେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏପରିକି ତାଙ୍କ ବଦଳରେ ବଲାଙ୍ଗୀର ଆସନରୁ ଅର୍କେଶଙ୍କୁ ଟିକେଟ ମିଳୁ ବୋଲି ଲବି କରୁଛନ୍ତି ଅନଙ୍ଗ । କିନ୍ତୁ ଅର୍କେଶଙ୍କ ଟିକେଟ ପାଇବା ପଥରେ ବଡ ବାଧକ ହୋଇ ଛିଡା ହୋଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ନବୀନଙ୍କ ମହିଳା କାର୍ଡରେ ଶ୍ରୀମୟୀ ଏଠାରୁ ପ୍ରମୁଖ ଟିକେଟ ଦାବିଦାର ଭାବେ ଉଭା ହୋଇଛନ୍ତି । ଯେଉଁଥିପାଇଁ ବିଜେଡି କାହାକୁ ଟିକେଟ ଦେବ ତାହାକୁ ନେଇ ଦ୍ୱନ୍ଦରେ ପଡିଛି । ଏହାଛଡା ନବୀନଙ୍କ ମହିଳା କାର୍ଡରେ ଶ୍ରୀମୟୀ ଏଠାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ବିଜେଡିର ଥିଙ୍କଟ୍ୟାଙ୍କ ପ୍ରୟାସ ଚଳାଇଛନ୍ତି । ଯେଉଁଥିପାଇଁ ଏହି ଆସନ ପାଇଁ ଏଯାଏଁ ଅଙ୍କ ଛିଣ୍ଡୁନି ।

ଅନ୍ୟପଟେ ଲୋଇସିଂହା ଆସନରେ ପାଇଁ ମଧ୍ୟ ବିଜେଡିର ସମାନ ଅବସ୍ଥା । ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ମଧ୍ୟ ପୁଅର ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ବିଜେଡିକୁ ଦ୍ୱନ୍ଦରେ ପକାଇଛନ୍ତି । ଏପରିକି ପୁଅ ପାଇଁ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇ ପରଦା ପଛରେ ରହିବାକୁ ଚାହୁଁଛନ୍ତି ଯୋଗେନ୍ଦ୍ର । ଏପରିକି ଏକଥା ଦଳୀୟ ସୁପ୍ରିମୋଙ୍କୁ ଭେଟି ଜଣାଇଥିଲେ ଯୋଗେନ୍ଦ୍ର । ତେବେ ଯୋଗେନ୍ଦ୍ରଙ୍କ ପୁଅ ନିହାର ବେହେରାଙ୍କ ଉପରେ ଏବେ ବାଜି ଖେଳିବାକୁ ବର୍ତ୍ତମାନ ପ୍ରସ୍ତୁତ ନୁହଁନ୍ତି ବିଜେଡି ସୁପ୍ରିମୋ । ଯେଉଁଥିପାଇଁ ଏହି ଆସନ ଏବେ ଝୁଲିକି ରହିଛି । କାଳେ ଟିକେଟ ଘୋଷଣା କରିଦେଲେ ଯୋଗେନ୍ଦ୍ର ଦଳ ବିରୋଧରେ ବିଦ୍ରୋହ କରିଦେବେ ସେଥିପାଇଁ ମାପିଚୁପି ଗୋଟି ଚାଳନା କରୁଛନ୍ତି ଦଳପତି । ତେବେ ଏସବୁ ଭିତରେ ବାପ-ପୁଅ ପଲିଟିକ୍ସ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି ।