ପାର୍ଲାମେଣ୍ଟ ଲଢେଇ ପାଇଁ ମଫସଲି ଗାଁର ପ୍ରମିଳାଙ୍କୁ ବାଛିଲେ ନବୀନ । ୭୦ ବର୍ଷର ସାହସୀ ସିପାହୀଙ୍କୁ ଧରି ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ସଂସଦ ଯିବେ କି ଚା’ ବିକାଳିଙ୍କ ମା’ ।

870

କନକ ବ୍ୟୁରୋ : ଦଦରା ଘରୁ ଦିଲ୍ଲୀ ପାଇଁ ଟିକେଟ । ନବୀନ ନିବାସରୁ ଯେତେବେଳେ ଆଜି ବିଜେଡି ସୁପ୍ରିମୋ ଆସ୍କା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ନବୀନ ଯେଉଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ନା ତାଙ୍କୁ କେହି ପୂର୍ବରୁ ଜାଣିଥିଲେ ନା କେହି ତାଙ୍କର ପ୍ରାର୍ଥୀତ୍ୱକୁ ନେଇ କେବେ ସ୍ୱପ୍ନରେ ଭାବିଥିଲେ । କିନ୍ତୁ ଯେତେବେଳେ ପାର୍ଲାମେଣ୍ଟ ଲଢେଇ ପାଇଁ ପ୍ରମିଳା ବିଶୋୟୀଙ୍କ ନାଁ ନବୀନ ଘୋଷଣା କରିଥିଲେ ସେତେବେଳେ ଏହି ମହିଳା ଜଣକ କିଏ ତାହା ଜାଣିବା ପାଇଁ ସମସ୍ତଙ୍କର ଉତ୍ସୁକତା ବଢି ଯାଇଥିଲା । କାରଣ ସମସ୍ତଙ୍କ ପାଇଁ ପ୍ରମିଳା ଥିଲେ ରାଜନୀତିରେ ସମ୍ପୂର୍ଣ୍ଣ ଅଜଣା ଚେହେରା । କିନ୍ତୁ ନବୀନଙ୍କ ପାଇଁ ପ୍ରମିଳା ଅଚିହ୍ନା କିମ୍ବା ଅଜଣା ନଥିଲେ । ।

୭୦ ବର୍ଷରେ ରାଜନୀତିରେ ଏଣ୍ଟ୍ରି
ପ୍ରମିଳା ବିଶୋୟୀ । ଆସ୍କା ଲୋକସଭା ସାଂସଦ ପ୍ରାର୍ଥୀ । ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିବା ଏହି ନାଁ ଗତକାଲି ପଯ୍ୟନ୍ତ ସମସ୍ତଙ୍କ ପାଇଁ ଅଜଣା ଥିଲା । କିନ୍ତୁ ମିଶନ ଶକ୍ତି ଅଭିଯାନର ଜଣେ ପ୍ରମୁଖ କାର୍ଯ୍ୟକର୍ତା ପ୍ରମିଳା ବିଶୋୟୀଙ୍କୁ ଆସ୍କା ଲୋକସଭା ଆସନର ଟିକଟ ଦେଇ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛନ୍ତି ନବୀନ । ପ୍ରମିଳାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ‘ସାତ ଶଙ୍ଖ’, ଚେରମାରିଆ ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥାଏ । ଦୁଇ ପୁଅ, ଦୁଇ ଝିଅ ଓ ସ୍ୱାମୀଙ୍କୁ ନେଇ ପ୍ରମିଳାଙ୍କ ସଂସାର । ବୟସ ୭୦ ପାର ହେଲାଣି । ଯେଉଁ ବୟସରେ ଲୋକେ ରାଜନୀତିରୁ ସନ୍ୟାସ ନେବାକୁ ସ୍ଥିର କରିଥାନ୍ତି ସେହି ବୟସରେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ପ୍ରମିଳା ।

ସାଧାରଣତଃ ସାଂସଦଙ୍କ କଥା ଉଠିଲେ ତାଙ୍କର ରହଣି ଓ ଚଳଣିକୁ ନେଇ ଲୋକେ ଅନେକ ଆଲୋଚନା କରିଥାନ୍ତି । ଦିଲ୍ଲୀ ଦରବାରକୁ ନିର୍ବାଚିତ ହେଉଥିବା ପ୍ରତିନିଧିଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ଭିନ୍ନ ଧାରଣା ରହିଥାଏ । ବଡ ଗାଡି, ବଡ ଘର, ରାଜକୀୟ ଠାଣି ସାଙ୍ଗକୁ ସମାଜରେ ପ୍ରତିପତ୍ତି ଥିବା ବ୍ୟକ୍ତି ହିଁ ସାଂସଦ ପଦରେ ବସିବାକୁ ଯୋଗ୍ୟ ବୋଲି ଏକ ଧାରଣା ରହି ଆସିଥିଲା । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ନବୀନ । ଜଣେ ନିପଟ ମଫସଲି ଗାଁର ମହିଳାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଲୋକଙ୍କ ମନରୁ ଏହି ଧାରଣା ଏକପ୍ରକାର ଦୂର ହୋଇଛି । କାରଣ ଯେଉଁ ପ୍ରମିଳାଙ୍କ ନାଁ ନବୀନ ଘୋଷଣା କରିଛନ୍ତି ନାଁ ତାଙ୍କର ପୂର୍ବରୁ ନିର୍ବାଚନ ଲଢିବାର ଅଭିଜ୍ଞତା ରହିଛି ନା ଇଂରାଜୀ କିମ୍ବା ହିନ୍ଦୀ କହି ଜାଣିଛନ୍ତି ।

ପଲ୍ଲୀରୁ ପାର୍ଲାମେଣ୍ଟ ପାଇଁ ପ୍ରମିଳାଙ୍କୁ ଟିକେଟ
ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ପ୍ରମିଳା ନାଁ କୌଣସି ବଡ ଘରୁ ଆସିଛନ୍ତି ନା ସମାଜରେ ତାଙ୍କର ସେହିଭଳି ଦବଦବା ରହିଛି । ନିପଟ ମଫସଲ ଗାଁର ଏହି ୭୦ ବର୍ଷିୟ ମହିଳା ପ୍ରମିଳାଙ୍କ ଘର କହିଲେ, କାନ୍ଥ ଫାଟି ଆଁ କରିଥିବା ଏକ ଭଙ୍ଗା ଦଦରା ଘର । ଏଭଳି ଏକ ଘର ଯେଉଁଠି କାନ୍ଥରୁ କେଉଁଠି ଚୂନ ଛାଡିଗଲାଣି ତ ପୁଣି କେଉଁଠି ଆଜବେଷ୍ଟ ଭାଙ୍ଗି ପଡିଛି । ରୋଜଗାର କହିଲେ ମାସକୁ ୧୦ରୁ ୧୨ ହଜାର ଟଙ୍କା । ଚାଷୀର ସ୍ତ୍ରୀ, ଚାହା ବାଲାର ମା’, ଗ୍ୟାରେଜ ବାଲାର ମା’ ଟ୍ୟାଗ୍ ଲାଗିଥିବା ପ୍ରମିଳାଙ୍କୁ ସାଂସଦ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ନବୀନ ।

ଗତ ୧୮ ବର୍ଷ ଧରି ଏସଏଚଜିର ନେତୃତ୍ୱ ନେଉଥିବା ଏହି ମଫସଲି ମହିଳା ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସଚେତନ କରିବା ସହ ଜଙ୍ଗଲ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ଗତ ୧୮ ବର୍ଷ ଧରି ପ୍ରମିଳା ମହିଳାଙ୍କ ମଧ୍ୟରେ ଟଏଲେଟ୍ ବ୍ୟବହାର, ହସ୍ପିଟାଲ ଶିଶୁ ଜନ୍ମ ଓ ବିଶୁଦ୍ଧ ପାନୀୟ ଜଳ ପିଇବା ନେଇ ସଚେତନ କରାଇ ଆସୁଛନ୍ତି । ଯେଉଁଥିପାଇଁ ପୂର୍ବରୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ଆଉ ତାହା ବି ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ । ଆଉ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି କାଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେବା ଆରମ୍ଭ କଲେ ସେତେବେଳେ ନବୀନଙ୍କ ରାଡାରରେ ଆସିଥିଲେ ପ୍ରମିଳା । ପଲ୍ଲୀର ପ୍ରମିଳାଙ୍କୁ ଦିଲ୍ଲୀ ପଠାଇବାକୁ ସେତେବେଳ ଠାରୁ ଆରମ୍ଭ ହୋଇଥିଲା ବ୍ଲୁ-ପ୍ରିଣ୍ଟ । ଆଉ ଶେଷରେ ଆଜି ବଡ ବଡ ହେଭିୱେଟଙ୍କୁ ପଛରେ ପକାଇ ୭୦ ବର୍ଷିୟ ପ୍ରମିଳାଙ୍କୁ ନିଜର ସାହସୀ ସିପାହୀ ଭାବେ ଆସ୍କାରୁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଘୋଷଣା କରିଛନ୍ତି ।