ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ରେସରେ ଭାରତୀୟ ମହିଳା ! ହ୍ୱାଇଟ୍ ହାଉସର ସମର୍ଥନ ଥିବା ସୂଚନା

96

ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହୋଇପାରନ୍ତି ପେପସିକୋ କମ୍ପାନୀର ପୂର୍ବ ସିଇଓ ଇନ୍ଦିରା ନୁଇ । ଅଧ୍ୟକ୍ଷ ରେସରେ ଇନ୍ଦିରା ନୁଇଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି । ଏପରିକି ହ୍ୱାଇଟ ହାଉସ ନୁଇଙ୍କ ନାଁ ନେଇ ବିଚାର ମଧ୍ୟ କରୁଛି । ଇଂରାଜୀ ଖବରକାଗଜ ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ନୁଇଙ୍କୁ ପ୍ରଶାସନିକ ସହଯୋଗୀ ବୋଲି କହିଛନ୍ତି । ଏପରିକି ନିଜ ଟୁଇଟରେ ଇଭାଙ୍କା ଦର୍ଶାଇଛନ୍ତି ଯେ ନୁଇ ଜଣେ ପ୍ରେରଣାଦାୟୀ ଏବଂ ମାର୍ଗଦର୍ଶକ ।

ସୂଚନା ଅନୁଯାୟୀ ବିଶ୍ୱବ୍ୟାଙ୍କର ନୂଆ ମୁଖ୍ୟଙ୍କ ପାଇଁ ହେଉଥିବା ନାମାଙ୍କନ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ନିଭାଉଛନ୍ତି ଇଭାଙ୍କା ଟ୍ରମ୍ପ । ତେବେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଯଦି ନୁଇଙ୍କ ନାଁ ନାମିତ କରାଯାଏ ତାହେଲେ ନୁଇ ଏହାକୁ ଗ୍ରହଣ କରିବେ ନା ନାହିଁ ସେ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ଭାରତୀୟ ବଂଶୋଦ୍ଭବ ୬୩ବର୍ଷୀୟ ନୁଇ ଦୀର୍ଘ ୧୨ବର୍ଷ ଯାଏଁ ପେପସିକୋ କମ୍ପାନୀର ଦାୟିତ୍ୱ ସମ୍ଭାଳିବା ପରେ ଗତ ବର୍ଷ ଅଗଷ୍ଟରେ ଇସ୍ତଫା ଦେଇଥିଲେ । ବିଶ୍ୱବ୍ୟାଙ୍କର ବର୍ତ୍ତମାନର ଅଧ୍ୟକ୍ଷ ଜିମ ୟୋଙ୍ଗ କିମ ଆସନ୍ତା ଫେବୃୟାରୀରେ ପଦ ଛାଡିଦେବେ ବୋଲି ଘୋଷଣା କରିଛନ୍ତି ।

ଇନ୍ଦିରା ନୁଇ କିଏ ?
ଚେନ୍ନାଇରେ ଜନ୍ମିତ ୬୩ ବର୍ଷୀୟ ନୁଇ ଦେଶର ପ୍ରଭାବଶାଳୀ ମହିଳା ମଧ୍ୟରୁ ଜଣେ । ଅନେକ କମ୍ପାନୀରେ କାମ କରିବା ପରେ ଇନ୍ଦିରା ନୁଇ ୧୯୯୪ରେ ପେପସିକୋ କମ୍ପାନୀରେ ନିଯୁକ୍ତି ପାଇଥିଲେ । ୨୦୦୬ରୁ ସେ କମ୍ପାନୀର ସମସ୍ତ ଦାୟିତ୍ୱ ତୁଲାଇବା ସହ ପେପସିକୋର ଶେୟାରରେ ୭୮ ପ୍ରତିଶତ ପର୍ଯ୍ୟନ୍ତ ଲାଭ ବଢ଼ାଇଥିଲେ । ସେ ୧୨ବର୍ଷ ପର୍ଯ୍ୟନ୍ତ ପେପସିକୋ କମ୍ପାନୀର କମାଣ ସମ୍ଭାଳିଥିଲେ । ଗତ ଅଗଷ୍ଟରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଦୁନିଆର ଚର୍ଚ୍ଚିତ ପତ୍ରିକା ଫୋର୍ବସରେ ୧୦୦ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ଅନେକ ଥର ତାଙ୍କ ନାମ ସାମିଲ ହୋଇସାରିଛି । ୨୦୧୭ରେ ସେ ୧୧ ତମ ସ୍ଥାନ ଅଧିକାର କରିଥିଲେ । ୨୦୦୭ରେ ଭାରତର ପ୍ରତିଷ୍ଠିତ ପଦ୍ମ ଭୂଷଣ ସମ୍ମାନରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।