ରାଜ୍ୟର ସବୁସ୍ଥାନରେ ବଢ଼ିଚାଲିଛି ତାପମାତ୍ରା ! ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା

23

କନକ ବ୍ୟୁରୋ : ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା, ସବୁଠି ବଢ଼ିଚାଲିଛି ତାପମାତ୍ରା । ପ୍ରତିଦିନର ତାପମାତ୍ରା ଗୋଟିଏ ଲେଖାଏ ଡିଗ୍ରି ବଢ଼ୁଥିବାରୁ ତାତିି ଅସମ୍ଭାଳ ହେଉଛି । ସବୁବେଳେ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ପ୍ରଥମେ ତାତି ବଢ଼ୁଥିବା ବେଳେ ଏବର୍ଷ ଏବେଠାରୁ ଉପକୂଳ ଓଡ଼ିଶା ତତଲା ପାଲଟିଲାଣି । ବାଲେଶ୍ୱର, ଭୁବନେଶ୍ୱର, ଅନୁଗୁଳ ଓ ସୋନପୁର ତାପମାତ୍ରା ଇତି ମଧ୍ୟରେ ୩୮ ଡିଗ୍ରି ପର ହୋଇଛି । ଏହି ୪ ସହର ତାପମାତ୍ରା ଆଜି ଯଥାକ୍ରମେ ପ୍ରଥମ ୪ଟି ମଧ୍ୟରେ ରହିଛି । ବାଲେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୮.୨, ଅନୁଗୁଳରେ ୩୮.୧ ଓ ସୋନପୁରରେ ୩୮ ଡିଗ୍ରି ରେକର୍ଡ କରାଯାଇଛି ।

ଦାରିଙ୍ଗବାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ଗତକାଲି ୩୦ ଡିଗ୍ରି ଉପରେ ରହିଥିଲା । ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି । ମାଲକାନଗିରି ସହର ତାପମାତ୍ରା ୩୭.୬ ଡିଗ୍ରି ରହିଥିବା ବେଳେ ବଲାଙ୍ଗିରରେ ୩୭.୫, ଢ଼େଙ୍କାନାଳରେ ୩୭.୨, କଟକରେ ୩୭, ସମ୍ବଲପୁରରେ ୩୬.୯, ଝାରସୁଗୁଡ଼ାରେ ୩୬.୮, ଚାନ୍ଦବାଲିରେ ୩୬.୭, ଭବାନୀପାଟଣାରେ ୩୫.୫ ଓ କେନ୍ଦୁଝରଗଡ଼ରେ ୩୫ ଡିଗ୍ରି ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବ୍ରୁଆରି ମାସରୁ ଏଭଳି ତାତି ଅନୁଭୂତ ହେଉଥିବାରୁ ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ମାର୍ଚ୍ଚ ପହିଲା ସୁଦ୍ଧା କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ଦିଗରୁ ବୋହୁଥିବା ପବନର ବେଗ ହ୍ରାସ ପାଉଛି ।  ତେଣୁ ଉପକୂଳ ଓଡ଼ିଶାରେ ତାହାର ପ୍ରଭାବ ପଡ଼ୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ତାତି କମିବାର ସମ୍ଭାବନା ନାହିଁ । ହେଲେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲା ଆକାଶରେ ବାଦଲ ରହୁଛି । ତେଣୁ ଏହି ଅଞ୍ଚଳରେ ହାଲକା ବର୍ଷା ହେବାର ସମ୍ଭାବନା ରହୁଛି ।