ଭୁବନେଶ୍ୱର ଇଏସଆଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ! ଶବ ରଖି ଜୟଦେବ ବିହାର ରାସ୍ତା ରୋକ ।

146

କନକ ବ୍ୟୁରୋ : ଭୁବନେଶ୍ୱର ଜୟଦେବ ବିହାର ଛକ ନିକଟରେ ଥିବା ଇଏସଆଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ସେଠାର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ମୃତ ମହିଳାଙ୍କ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

ମୃତ ମହିଳାଙ୍କ ସ୍ୱାମୀ କୀର୍ତ୍ତନ ଭଞ୍ଜଙ୍କ ଅଭିଯୋଗ ଅନୁଯାୟୀ, ଜଣେ ସିକ୍ୟୁରିଟି କର୍ମଚାରୀଭାବେ କାର୍ଯ୍ୟ କରନ୍ତି ଓ ସ୍ଥାନୀୟ ସାଲିଆ ସାହିରେ ରହୁନ୍ତି। ତାଙ୍କ ପତ୍ନୀ ଅହଲ୍ୟା ଭଞ୍ଜଙ୍କର ଦେହ ଖରାପ ଥିବାରୁ ତାଙ୍କୁ ଇଏସଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ଜରୁରି ହୋଇ ପଡ଼ିଥିଲା। ପରିବାର ଲୋକେ ମଧ୍ୟ ଅନ୍ୟ ଡାକ୍ତରଖାନାକୁ ନେବାକୁ ରାଜି ଥିଲେ।

ମାତ୍ର ଇଏସଆଇ ହସ୍ପିଟାଲର କମ୍ପ୍ୟୁଟରରେ ତ୍ରୁଟି ଯୋଗୁଁ ମହିଳାଙ୍କୁ ସ୍ଥାନାନ୍ତର କରାଯାଇ ପାରିନଥିଲା। ଫଳରେ ମହିଳାଙ୍କୁ ଅନ୍ୟତ୍ର ନ ପଠାଇ ହସ୍ପିଟାଲର କର୍ତ୍ତୃପକ୍ଷ ନିଜ ନିଜ ରାସ୍ତାରେ ଗତକାଲି ସନ୍ଧ୍ୟାରେ ଚାଲିଯାଇଥିଲେ। ଫଳରେ ଆଜି ଭୋର ଭୋରରୁ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହା ଜଣାପଡ଼ିବା ପରେ ସାଲିଆସାହିରୁ ମୃତ ମହିଳାଙ୍କ ପଡୋଶୀ ଓ ସମ୍ପର୍କୀୟମାନେ ଆସି ରାସ୍ତାରେ ଶବ ରଖି ମେ ଫେୟାର ହୋଟେଲ ଛକରୁ ଜୟଦେବ ବିହାର ଛକ ରାସ୍ତାକୁ ଅବରୋଧ କରି ରଖିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛି।

ହସପିଟାଲର ସୁପରିଟେଣ୍ଡେଂଟ୍ ଅଂଜଳି ପାଢ଼ୀ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟରେ ଇଏସଆଇ ଜରିଆରେ ରାଜ୍ୟର ୬୦ ଲକ୍ଷ ବୀମାକୃତ କର୍ମଚାରୀ ଠିକ୍ ଚିକିତ୍ସା ପାଉନାହାଁନ୍ତି । ଭିତ୍ତି ଭୂମି ଥିଲେ ବି ଠିକ୍ ସେବା ମିଳୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ଇଏସଆଇ କର୍ମଚାରୀ ସଂଘ ନେତା ମହେନ୍ଦ୍ର ପରିଡା ।