ଏକ ବର୍ଷ ଧରି ସରକାରଙ୍କ ପଛରେ ଘୁରି ବୁଲିଲେ,ଶେଷରେ ନିଜେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

88

କନକ ବ୍ୟୁରୋ : ଦୀର୍ଘ ଏକ ବର୍ଷ ଧରି ପୋଲ ନିର୍ମାଣ ପାଇଁ ସରକାରଙ୍କ ପଛରେ ଘୁରି ବୁଲିଲେ ଗ୍ରାମବାସୀ । କିନ୍ତୁ କେହିବି ଶୁଣିଲେ ନାହିଁ । ଶେଷରେ ଗ୍ରାମବାସୀ ନିଜ ଗ୍ରାମକୁ ଯାତାୟାତ ସୁବିଧା ପାଇଁ କାଠ ପୋଲ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବିନିଶପୁର ଗ୍ରାମରେ ।

ବିନିଶପୁର ଗ୍ରାମ ସହ ୬ଟି ପଞ୍ଚାୟତକୁ ଯୋଗାଯୋଗ ସୁବିଧା ନିମନ୍ତେ ଗ୍ରାମବାସୀ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଶ୍ରମଦାନରେ ଏକ କାଠ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗତ ବର୍ଷ ବାଦଲ ଫଟା ବର୍ଷାରେ ବନ୍ୟା ପାଣିରେ ନାଗାବଳୀ ନଦୀର ବିିନିଶପୁର ଝୁଲା ପୋଲ, କଲ୍ୟାଣୀ ନଦୀର ୪ଟି ପୋଲ ଭାସି ଯାଇଥିବାରୁ ଲୋକେ ଗମନାଗମନ ପାଇଁ ବହୁ ଅସୁବିଧାର ସମୁଖୀନ ହେଉଥିବାରୁ ଗତ ବର୍ଷ ନାଗାବଳୀ ନଦୀରେ ଏହି ଗ୍ରାମବାସୀ ନିଜର ପରିଶ୍ରମରେ ଏକ ପୋଲ ନିର୍ମାଣ କରିଥିଲେ । ଏହି କାଠ ପୋଲ ଦୀର୍ଘ ଆଠ ମାସ ଛଅଟି ପଞ୍ଚାୟତ ଲୋକଙ୍କ ପାଇଁ ସୁବିଧା ହୋଇଥିଲା ।

ତେବେ ଗତ ବର୍ଷ ବନ୍ୟା ଆସିବାରୁ ଉକ୍ତ କାଠ ପୋଲ ପୁଣି ଭାସିଯାଇଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ଏହି ଗ୍ରାମବାସୀ କଲ୍ୟାଣସି˚ହପୁର ବଜାର ଉପରେ ନିର୍ଭର କରୁଥିବାରୁ ପୁଣି ଥରେ ପୋଲ ନିର୍ମାଣ କରିବା ପାଇଁ ଘର ପିଛା ଦୁଇ ଶହ ଟଙ୍କା ଓ ଗ୍ରାମରେ ଥିବା ବାଇକ୍ ଚାଳକଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ପରେ ଜଙ୍ଗଲରୁ କାଠ, ବାଉଁଶ ଆଣି ନାଗାବାଳୀ ନଦୀରେ ପ୍ରାୟ ଶହେ ମିଟର କାଠ ପୋଲ ତିଆରି ପାଇଁ ଅଣ୍ଟା ଭିଡି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସୂଚନା ଥାଉକି ପୋଲିସ ହାଉସି˚ ବୋର୍ଡ ପକ୍ଷରୁ ନାଗାବଳୀ ନଦୀର ବିନିଶପୁର ଗ୍ରାମ ନିକଟରେ ଏକ ଝୁଲା ପୋଲ କରିଥିଲେ । ତେବେ ଗତ ବର୍ଷ ଜୁଲାଇରେ ବନ୍ୟା ଆସିଯିବାରୁ ପୋଲ ଭାସି ଯାଇଥିଲା । ପୋଲ ନଥିବାରୁ ବିଶେଷକରି ଗର୍ଭବତୀ ମହିଳାଙ୍କୁ ନଦୀପାର କରିବାକୁ ବୋହି ଆଣିବାକୁ ପଡୁଥିବା ବେଳେ ଛାତ୍ରଛାତ୍ରୀ ଏବଂ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଥିଲା । ତେଣୁ ପୁଣି ଥରେ ପୋଲ ତିଆରି କରି ଏକ ଉଦାହରଣ ସୃଷ୍ଠି କରିଛନ୍ତି ବିନିଶପୁର ଗ୍ରାମବାସୀ ।
ଏହି ପୋଲ ନିର୍ମାଣ କରିବା ପାଇଁ ଗାଁର ମିଲାପୁଇ କାଡ୍ରାକା, ଶଙ୍କର କାଡ୍ରାକା, ରାମସି˚ କାଡ୍ରାକା, ମାଣି କାଡ୍ରାକା, ସନେଶ୍ବର ତାଡିଙ୍ଗି, ଅଶୋକ କାଡ୍ରାକା,ରାଇସେଣା କାଡ୍ରାକା,ଜିନ କାଡ୍ରାକା, କାମେଶ୍ବର କାଡ୍ରାକା, ଘାସି ହିକକା, ମନୋଜ କାଡ୍ରାକାଙ୍କ ସହ ଗ୍ରାମର ସମସ୍ତ ମହିଳା, ପୁରୁଷ ସାମିଲ ହୋଇଥିଲେ। ତେବେ ସରକାରଙ୍କ ତରଫରୁ ଶୀଘ୍ର ପୋଲ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି ।