ଜୀବନ ସଂଗ୍ରାମରେ ହାରିଗଲେ ବଲିଉଡ ଜଗତର ଫାଇଟ୍ ମାଷ୍ଟର । ୮୫ ବର୍ଷରେ ଆଖି ବୁଜିଦେଲେ ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ ।

534

କନକ ବ୍ୟୁରୋ: ଆଖି ବୁଜିଲେ ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ବାପା ତଥା ବଲିଉଡ଼ ଫାଇଟ୍ ମାଷ୍ଟର ବୀରୁ ଦେବଗନ । ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ବୀରୁ ଦେବଗନ ମୁମ୍ବାଇରର ଏକ ଘରୋଇ ହସ୍ପିଟାଲରେ ୮୫ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଚଳଚିତ୍ର ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ବଲିଉଡ଼ ଜଗତର ବୀରୁ ବୋଲାଉଥିବା ଫାଇଟ୍ ମାଷ୍ଟର ବୀରୁ ଦେବଗନଙ୍କ ଦେହାନ୍ତ ଖବର ଏବେ ସମଗ୍ର ବଲିଉଡ଼ ଜଗତରେ ଶୋକର ଛାୟା ଖେଳାଇଦେଇଛି ।

ବଲିଉଡ଼ର ଏହି ଫାଇଟ୍ ମାଷ୍ଟର ବୋଲାଉଥିବା ଅଜୟ ଦେବଗନଙ୍କ ବାପା ଜଣେ କୋରିଓଗ୍ରାଫର ଓ ଡ଼ାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୮୦ରୁ ଅଧିକ ଫିଲ୍ମରେ ଆକ୍ସନ କୋରିଓଗ୍ରାଫି କରିଥିଲେ । “ହିନ୍ଦୁସ୍ଥାନ କି କସମ” , ହିମତୱାଲା, ଫୁଲ ଅର ଅଙ୍ଗାର ଓ ପ୍ରେମରୋଗ ଭଳି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ବୀରୁ । ଏସବୁ ବାଦ୍ ସେ ଅନେକ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ । ସିଂହାସନ୍, କ୍ରାନ୍ତି ଭଳି କିଛି ସିନେମାରେ ବୀରୁ ନିଜର ଅଭିନୟ କଳା ମଧ୍ୟ ପ୍ରଦର୍ଶନ କରିଥିଲେ । ବୀରୁଙ୍କ ନିଧନ ପରେ ତାଙ୍କ ପୁଅ ଅଜୟ ଦେବଗନ ଏବଂ ପରିବାର ସଦସ୍ୟଗଣ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ସମଗ୍ର ବଲିଉଡ଼ ଜଗତ ସମବେଦନା ଜଣାଉଛନ୍ତି ।