କେବଳ ଓଡ଼ିଶାରେ ନୁହେଁ, ନୀଳଗିରି ଥିଲା ଦେଶର ଗଡ଼ଜାତ ମିଶ୍ରଣ !

104

କେବଳ ଓଡ଼ିଶାରେ ନୁହେଁ, ନୀଳଗିରି ଥିଲା ଦେଶର ଗଡ଼ଜାତ ମିଶ୍ରଣ । ଏହିଠାରୁ ଆରମ୍ଭ ହୋଇଥିଲା ଅଖଣ୍ଡ ଭାରତ ଗଠନ ପାଇଁ ଅଭିଯାନ । ଡକ୍ଟର ହରେକୃଷ୍ଣ ମହତାବଙ୍କ ସଫଳତା ପୂରା ଦେଶ ପାଇଁ ହୋଇଥିଲା ଉଦାହରଣ । ଓଡ଼ିଶାର ଅନ୍ୟ ଗଡ଼ଜାତଗୁଡିକର ମିଶ୍ରଣ ପାଇଁ ଏହା ବାଟ ଫିଟାଇଥିଲା । ହେଲେ ଚୁକ୍ତି ସ୍ୱାକ୍ଷର କରିଥିଲେ ବି ଷଢେଇକଳା ଓ ଖରସୁଆଁ ଶେଷ ମୁହୂର୍ତ୍ତରେ ଓଡ଼ିଶା ହାତରୁ ଖସିଗଲା ।

୧୯୪୮, ଜାନୁଆରୀ ୧ ତାରିଖ । ଗଡ଼ଜାତ ରାଜା ମହାରାଜାଙ୍କ ମିଶ୍ରଣ ପାଇଁ ଚୁକ୍ତି ସ୍ୱାକ୍ଷର କଲେ ଓଡ଼ିଶା ସରକାର । କେବଳ ମୟୂରଭଂଜକୁ ଛାଡିଦେଲେ ୨୫ଟି ଗଡଜାତ ମିଶିଥିଲା ଓଡ଼ିଶାରେ । ମିଶ୍ରଣ ପାଇଁ ଷଢେଇକଳା ଓ ଖରସୁଆଁ ମଧ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲେ । ଓଡ଼ିଶାର ବହୁଦିନର ଆଶା ପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଭିତରେ ଆନନ୍ଦ ପ୍ରକାଶ ପାଇଥିଲା । ହେଲେ ତତ୍କାଳୀନ ବିହାର ସରକାରଙ୍କ ସହାୟତାରେ ମିଶ୍ରଣ ବିରୋଧରେ ଆଦିବାସୀ ଆନ୍ଦୋଳନକୁ ଉସୁକାଇଲେ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ । ଷଢେଇକଳା ରାଜା ମଧ୍ୟ ତାଙ୍କ ମତ ବଦଳାଇଲେ । ଷଢେଇକଳା ଓ ଖରସୁଆଁ ବାସୀ ମିଶ୍ରଣ ଚାହୁଁନଥିବା ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଆବେଦନ କଲେ ଷଢେଇକଳା ରାଜା । ମୟୂରଭଂଜ ଓଡ଼ିଶା ସହ ପ୍ରାଥମିକ ପର୍ଯ୍ୟାୟରେ ମିଶିନଥିବାରୁ ଓଡ଼ିଶାର ମୂଳ ଭୂଖଣ୍ଡ ସହ ଏହି ଦୁଇ ରାଜ୍ୟର ଭୌଗଳିକ ସଂପର୍କ ନଥିବା ଦର୍ଶାଗଲା । ଜାଣିଶୁଣି ଏହି ଅଂଚଳରେ ଅଶାନ୍ତି ସୃଷ୍ଟି କରାଗଲା, ରାଜା ମଧ୍ୟ ବିହାରରେ ମିଶ୍ରଣ ପାଇଁ ମତ ଦେଲେ । ହାତଛଡା ହୋଇଗଲା ଷଢେଇକଳା ଓ ଖରସୁଆଁ । ଯାହା ଆଜି ପର୍ଯ୍ୟନ୍ତ ଓଡ଼ିଶା ଜାତୀୟତା ବୋଧରେ କଂଟା ହୋଇ ରହିଛି ।

ଅନେକ ସଂଘାତ ଓ ସଂଘର୍ଷ ମଧ୍ୟରେ ନିର୍ମାଣ ହେଲା ଆଧୁନିକ ଓଡ଼ିଶା । ପରିସୀମା ଦୃଷ୍ଟିରୁ ନବମ ଓ ଜନସଂଖ୍ୟା ଦୃଷ୍ଟିରୁ ଆଜି ଦେଶର ୧୧ତମ ବୃହତମ ରାଜ୍ୟ । ୩ କୋଟି ୩୨ ଲକ୍ଷ ଲୋକଙ୍କ ଭାଷା ଓଡ଼ିଆ । ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ଭାଷାର ମାନ୍ୟତା ।