୨୦୧୮ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ଆରମ୍ଭ! IAS,IPS ଓ IFS ହେବା ପାଇଁ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

34

ଆଜି ୨୦୧୮ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହେଉଛି ।ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଏହି ସମ୍ମାନଜନକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ତେବେ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀ ମାନେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣି ରଖନ୍ତୁ ।

ଚଳିତ ବର୍ଷ ୟୁପିଏସିସିର ପ୍ରିଲିମ୍ସ ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନ ସକାଳ ୯.୩୦ରୁ ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ଅଧିବେଶନଟି ଦ୍ୱିପ୍ରହର ୨.୩୦ରୁ ଆରମ୍ଭ ହୋଇ ୪.୩୦ରେ ଶେଷ ହେବ । ୟୁପିଏସସି ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାର ୧୦ ମିନିଟ୍ ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ ।

ପରୀକ୍ଷାର୍ଥୀ କଳା ରଙ୍ଗର କଲମ ସାଙ୍ଗରେ ଆଣିବା ଆବଶ୍ୟକ । କାରଣ ଓଏମଆର ସିଟ୍ ପୂରଣ କରିବାକୁ କଳା କଲମର ଆବଶ୍ୟକତା ପଡ଼ିବ । କଳା କଲମ ବ୍ୟତୀତ ଅନ୍ୟ କୌଣସି କାଳିର କଲମ ଚଳିବ ନାହିଁ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ, କ୍ୟାଲକୁଲେଟର, ଇଲେକଟ୍ରୋନିକ୍ସ ସାମଗ୍ରୀ, ସ୍ମାର୍ଟ ୱାଚ, ଲାଇଟର, ଦିଆସିଲି, ପେନ ଡ଼୍ରାଇଭ ଭଳି ସାମଗ୍ରୀ ନେବାକୁ ଛାତ୍ରଛାତ୍ରୀଙ୍କୁ ବାରଣ କରାଯାଇଛି ।

ସବୁଠୁ ବଡ଼ କଥା ହେଲା ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ଼ ନେବାକୁ ଆଦୌ ଭୁଲନ୍ତୁ ନାହିଁ । ଆଡ଼ମିଟ କାର୍ଡ଼ ବିନା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଭୁଲ ଉତ୍ତର ପାଇର୍ ମାଇନସ ନମ୍ବର ରହିଛି । ତେଣୁ ଯେଉଁ ପ୍ରଶ୍ନର ଉତ୍ତର ଠିକ୍ ଜାଣିଛନ୍ତି ତାହାର ଉତ୍ତର ଦିଅନ୍ତୁ । ଭୂଲ ଉତ୍ତର ଦେବା ଦ୍ୱାରା ଏହା ଆପଣଙ୍କ ପୂରା ନମ୍ବର ଉପରେ ପ୍ରଭାବ ପକାଇବ ।
ପ୍ରତିବର୍ଷ ୟୁପିଏସସି ତିନୋଟି ଚରଣରେ ପରୀକ୍ଷା କରିଥାଏ । ଯେଉଁଥିରେ ପ୍ରିଲିମ୍ସ, ମେନ ଓ ଇଣ୍ଟରଭ୍ୟୁ ସାମିଲ ରହିଥାଏ । ତିନୋଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀ ପାସ କରିବା ପରେ ରାଙ୍କ ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ଆଇଏଏସ, ଆଇପିଏସ ଓ ଆଇଏଫଏସ ପଦରେ ନିଯୁକ୍ତି ଦିଆଯାଇଥାଏ ।