ବୁଲନ୍ଦସହର ହିଂସାକାଣ୍ଡ ଘଟଣା ଅଭିଯୁକ୍ତ ସେନା ଯବାନ ଜିତେନ୍ଦ୍ର ମଲିକ ଗିରଫ! ହିଂସାକାଣ୍ଡ ସମୟରେ ପୋଲିସ ଇନସପେକ୍ଟର ସୁବୋଧଙ୍କୁ ଗୁଳି ମାରିଥିବା ସନ୍ଦେହ !

102

ବୁଲନ୍ଦସହର ହିଂସାକାଣ୍ଡ ମାମଲାର ଅଭିଯୁକ୍ତ ସେନା ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ଶନିବାର ରାତିରେ ଉତ୍ତରପ୍ରଦେଶ ଏସଟିଏଫ ହାତରେ ଦେଇଛି ସେନା । ପରେ ଏସଟିଏଫ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଆଜି ଅଭିଯୁକ୍ତ ଜିତୁଙ୍କୁ ବୁଲନ୍ଦସହର କୋର୍ଟରେ ହାଜିର କରାଯିବ । ଏସଟିଏଫ ଏସଏସପି ଅଭିଷେକ ସିଂଙ୍କ କହିବା ଅନୁଯାୟୀ, ହିଂସାକାଣ୍ଡ ସମୟରେ ଜିତୁ ସେଠାରେ ଉପସ୍ଥିତ ଥିବା ସ୍ୱୀକାର କରିଛି । କିନ୍ତୁ ଇନସପେକ୍ଟର ସୁବୋଧଙ୍କୁ ସେ ଗୁଳି ମାରିଥିବା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଜେରା ସମୟରେ ଜିତୁ କହିଛନ୍ତି ଯେ, ସେ ଗାଁ ଲୋକଙ୍କ ସହ ଘଟଣାସ୍ଥଳକୁ ଯାଇଥିଲେ ସତ କିନ୍ତୁ ପୋଲିସ ଉପରକୁ ପଥର ଫିଙ୍ଗିନାହାନ୍ତି ।

ଗୋ-ହତ୍ୟାକୁ ନେଇ ଗତ ୩ ଡିସେମ୍ବରରେ ବୁଲନ୍ଦସହରରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । କିନ୍ତୁ ଘଟଣାସ୍ଥଳରେ ହିଂସା ରୋକିବାକୁ ଯାଇଥିବା ପୋଲିସ ଇନସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହିଂସାକାଣ୍ଡ ସମୟରେ ଜମ୍ମୁ କାଶ୍ମୀରର ୨୨ ରାଜପୁତ ରାଇଫଲରେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ମଲିକ ସାମିଲ ଥିଲେ । ହିଂସା ପରେ ଲୋକଙ୍କୁ ପଚରାଉଚରା ଓ ଭିଡ଼ିଓ ଦେଖିବା ପରେ ଜିତୁ ମଲିକ ଗୁଳି ଚଳାଇଥିବା ସନ୍ଦେହ କରିଥିଲା ପୋଲିସ । ଆଉ ଏହାପରେ ପୋଲିସ ଜିତୁଙ୍କ ବିରୋଧରେ ୱାରେଣ୍ଟ ଜାରି କରିବା ସହ ତାଙ୍କୁ ଗିରଫ କରିବାକୁ ଜମ୍ମୁ –କାଶ୍ମୀରେ ପହଞ୍ଚିଥିଲା ।

ହିଂସାକାଣ୍ଡରେ ଜିତୁଙ୍କ ସମ୍ପୃକ୍ତି ନେଇ ସେନା ଅଧିକାରୀଙ୍କୁ ଅବଗତ କରାଇଥିଲେ ଉତ୍ତରପ୍ରଦେଶ ଏସଟିଏଫ୍ । ପରେ ସେନା ଅଧିକାରୀଙ୍କ ହେପାଜତରେ ଜିତୁଙ୍କୁ ଉତ୍ତରପ୍ରଦେଶ ଅଣାଯାଇଥିଲା ଓ ରାତି ଅଧରେ ଏସଟିଏଫ ହାତକୁ ଦେଇଥିଲେ । ଅଭିଯୁକ୍ତ ଜିତେନ୍ଦ୍ରଙ୍କ ଘର ବୁଲନ୍ଦସହରର ମହାବ ଗାଁରେ । ସେ ଛୁଟିରେ ଘରକୁ ଆସିଥିବା ବେଳେ ଗୋ-ହତ୍ୟାକୁ ନେଇ ହଙ୍ଗାମା ଦେଖାଦେଇଥିଲା । ପରେ ଯେଉଁ ହିଂସାକାଣ୍ଡ ହୋଇଥିଲା ସେହି ଭିଡିଓରେ ଜିତୁଙ୍କୁ ଦେଖିବାକୁ ମିଳିଥିଲା ।